କନକ ବ୍ୟୁରୋ : ପ୍ରଥମେ ଫେସବୁକରେ ପରିଚୟ । ପରେ ଆରମ୍ଭ ହେଲା ପରକୀୟା ପ୍ରୀତି । ଆଉ ଶେଷରେ ମହିଳାଙ୍କୁ ଗଳା କାଟି ମାରିଦେଲା ଯୁବକ । ବ୍ରହ୍ମପୁର ଶ୍ରୀମା ନଗର ଗାୟତ୍ରୀ ସ୍ୱାଇଁ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୁଲିସ । ଅଭିଯୁକ୍ତ ଶାନ୍ତନୁ ପାତ୍ରକୁ କର୍ଣ୍ଣାଟକରୁ ଧରିବା ପରେ ପୁଲିସ ରିମାଣ୍ଡରେ ନେଇ ଚଳାଇଛି ତନାଘନା ।
ପ୍ରଥମେ ଆଧାର କାର୍ଡରେ ନାଁ ବଦଳାଇ ଶାନ୍ତନୁ ପାତ୍ରରୁ ପାଲଟିଥିଲା ସୁନୀଲ ସ୍ୱାଇଁ । ଘର ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାରେ । ହେଲେ ଜାଲ ଆଧାରକାର୍ଡରେ ବାବୁ ନିଜକୁ ଗଞ୍ଜାମର ବୋଲି ଦର୍ଶାଇ ଫେସବୁକରେ ଖୋଲିଥିଲେ ଫେକ୍ ଆକାଉଣ୍ଟ । ୨୦୧୯ରୁ ମୃତକ ଗାୟତ୍ରୀ ସ୍ୱାଇଁଙ୍କୁ ସହ ଫେସବୁକରେ ପରିଚୟ, ତାପରେ ଶାନ୍ତନୁ ତାଙ୍କୁ ଫସାଇଥିଲା ପ୍ରେମ ଜାଲରେ । ୨ ବର୍ଷ ତଳେ ଗାୟତ୍ରୀଙ୍କୁ ଧରି ମୁମ୍ବାଇରେ ୧୦ ଦିନ ରଖି ଛାଡିଥିଲା । କିଛିଦିନ ହେବ ଗାୟତ୍ରୀ ନିଜ ନାବାଳିକା ଝିଅ ସହ ଶ୍ରୀମା ନଗରରେ ଭଡ଼ା ଘରେ ରହୁଥିଲା ବେଳେ, ସ୍ୱାମୀ ଭୁବନେଶ୍ୱରରେ ରହୁଥିଲେ । ଯାହାର ସୁଯୋଗ ନେଇ ଲୋଚାପଡ଼ା ଛକରେ ପରିବା ଦୋକାନ ଦେଇଥିବା, ଶାନ୍ତନୁ ଓରଫ ସୁନୀଲ ଗାୟତ୍ରୀଙ୍କୁ ଦେଖା କରିବାକୁ ଆସୁଥିଲା । ତେବେ କୌଣସି କାରଣରୁ ଉଭୟଙ୍କ ଭିତରେ ମତାନ୍ତର ହେବାରୁ ଗତ ୧୧ ତାରିଖ ରାତିରେ ଧାରୁଆ ଅସ୍ତ୍ରରେ ଗାୟତ୍ରୀଙ୍କୁ ଘରେ ପଶି ହତ୍ୟା କରିବା ସହ ନାବାଳିକା ଝିଅକୁ ବି ହତ୍ୟା ଉଦ୍ୟମ କରିଥିଲା ।
ହତ୍ୟାକାଣ୍ଡ ଭିଆଇବା ପରେ ପୋଷାକ ବଦଳାଇ ଅଭିଯୁକ୍ତ ଶାନ୍ତନୁ କର୍ଣ୍ଣାଟକ ପଳାଇଥିଲା। ତାକୁ ଧରିବାକୁ ପୁଲିସ ୩ ଟି ଟିମ ଗଠନ କରି ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରିଥିଲା । ୨ ଦିନ ତଳେ ଶାନ୍ତନୁ କର୍ଣ୍ଣାଟକର ୱାଡି ଷ୍ଟେସନରେ ଥିବା ଖବର ପାଇ ନିମଖଣ୍ଡି ପୁଲିସ ଆରପିଏଫ ସହାୟତାରେ ତାକୁ ଗିରଫ କରିଛି । ଗତକାଲି କୋର୍ଟରେ ହାଜର ସହ ୩ ଦିନିଆ ରିମାଣ୍ଡରେ ଆଣିଛି ପୁଲିସ । ଆଜି କ୍ରାଇମ ସ୍ପଟରେ ଡେମୋ ଦେଖାଇଥିଲା ଅଭିଯୁକ୍ତ । କେମିତି ସେଦିନ ରାତିରେ ହତ୍ୟା କରିଥିଲା ଡେମୋ ଦେଖାଇଥିଲା ।
ସେପଟେ ତଦନ୍ତ ସମୟରେ ସାମ୍ନାକୁ ଆସିଛି ଆଉ ଏକ ସାଙ୍ଘାତିକ ଘଟଣା । ୨୦୧୯ରେ ସମ୍ପର୍କୀୟ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ଶାନ୍ତନୁ ନାଁରେ ବାଲେଶ୍ୱର ପୁଲିସ ମାମଲା ରୁଜୁ କରିଛି । ସେବେଠାରୁ ସେ ଫେରାର ଥିବା ବେଳେ ଏବେ ପୁଲିସ ଖାପଚାରେ ପଡ଼ିବା ପରେ ବାଲେଶ୍ୱର ପୁଲିସ ବି ଅଭିଯୁକ୍ତକୁ ରିମାଣ୍ଡରେ ନେଇପାରେ ।