କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଲଜ୍ଜା । ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର । ୭ ବର୍ଷର ନାବାଳିକା ଜଣଙ୍କ ଘର ପାଖକୁ ତାଳ ସଜ ଗୋଟାଇ ବାକୁ ଯାଇଥିବା ବେଳେ ତାଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଗ୍ରାମଠାରୁ କିଛି ଦୂରରେ ତାଳ ପତ୍ର ଘୋଡେଇ ଫେରାର ହୋଇଯାଇଥିଲେ । ତେବେ ଶିଶୁଟି ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ହିନ୍ଦୋଳ ପୋଲିସ, ଜିଲ୍ଲା ସାଇଣ୍ଟିଫିକ ଟିମ ଏବଂ ଡଗ୍ ସ୍କ୍ଵାଡ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି ।
ତେବେ ଘଟଣା ଘଟିଥିବା ସ୍ଥାନ ନିକଟରେ ଏକ ବେଆଇନ ମଦ ବିକ୍ରି ହେଉଥିବା ଘରକୁ କିଛି ବାହାର ଲୋକ ଆସିଥିଲେ । ସେହି ସମୟରେ ଶିଶୁଟି ନିଖୋଜ ହୋଇ ଯାଇଥିଲା । ପରିବାର ଲୋକ ଶିଶୁକୁ ନପାଇ ଏଣେତେଣେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ । ଶେଷରେ ଗାଁ ପାଖ ଏକ ଗଛ ମୂଳରେ ପିଲାଟିକୁ ତାଳ ପତ୍ର ଘୋଡା ଅବସ୍ଥାରେ ଠାବ କରାଯାଇଥିଲା । ବାହାର ଅଞ୍ଚଳର କେହି ଦୁର୍ବୃତ୍ତ ପିଲାଟିର ଏଭଳି ଅବସ୍ଥା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପରିବାର ଲୋକେ ପିଲାଟିକୁ ପ୍ରଥମେ ହିନ୍ଦୋଳ ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।