କନକ ବ୍ୟୁରୋ : ଯୌତୁକ ପାଇଁ ଦିଲ୍ଲୀ ପୁଲିସର ଜଣେ ଗର୍ଭବତୀ ମହିଳା କନେଷ୍ଟବଳ ତଥା ସ୍ବାତ୍ କମାଣ୍ଡୋଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ଏହି ଘଟଣାର ଆଉ ଏକ ଛାତିଥରା କଥା ସାମ୍ନାକୁ ଆସିଛି । କାଜଲଙ୍କୁ ହତ୍ୟା କରିବା ସମୟରେ ତାଙ୍କ ଭାଇଙ୍କୁ ଫୋନ୍ କରି ଲାଇନରେ ରଖିଥିଲା ଅଭିଯୁକ୍ତ ଅଙ୍କୁର । ଭଉଣୀର ଚିତ୍କାର ଶୁଣି ରେକର୍ଡ କରିବାକୁ ମଧ୍ୟ ଅଭିଯୁକ୍ତ କହିଥିଲା । ସବୁଠୁ ବଡ଼ କଥା ହେଉଛି ଭାଇକୁ ଫୋନ୍ ଲାଇନରେ ରଖି ଭଉଣୀ କାଜଲକୁ ହତ୍ୟା କରିଥିଲା ଅଙ୍କୁର  । କାଜଲଙ୍କ ଭାଇ ନିଖିଲଙ୍କ କହିବା ଅନୁସାରେ, ଅଙ୍କୁର ପ୍ରଥମେ ତାଙ୍କୁ କଲ କରିଥିଲା । ଆଉ କଲକୁ ରେକର୍ଡ କରିବାକୁ କହିଥିଲା । ସେ କହିଥିଲା, ମୁଁ ତୋ ଭଉଣୀକୁ ହତ୍ୟା କରୁଛି, ତୁ ତା' ଚିତ୍କାରକୁ ଫୋନରେ ରେକର୍ଡ କରି ରଖେ । ପୁଲିସ ଷ୍ଟେସନରେ ଏହା କାମରେ ଆସିବ । ଆଉ ତାପରେ ମୁଁ ମୋ ଭଉଣୀର ଚିତ୍କାର ଶୁଣିଲି ।

Advertisment

ନିଖିଲ ଆହୁରି କହିଛନ୍ତି, କାଜଲ ତା'ଶାଶୁ ଘର ସମ୍ପର୍କରେ କେବେ କିଛି କୁହେନି, କିନ୍ତୁ ସେଦିନ ସେ ମତେ ସବୁ ଘଟଣା ବାବଦରେ କହୁଥିଲା । ଏତିକିରେ ଅଙ୍କୁର ଚାଲିଆସିଥିଲା, ଭଉଣୀ ମତେ ସବୁକଥା କହୁଥିବା ଶୁଣି ଫୋନ୍ ଛଡ଼ାଇନେଇ କାଟିଦେଇଥିଲା । ମାତ୍ର ୫ମିନିଟ୍ ବିତିନଥିଲା ମୋ ଫୋନ୍ ପୁଣି ବାଜିଥିଲା । ଫୋନରେ ଅଙ୍କୁର ମତେ କହିଲା ମୁଁ ତୋ ଭଉଣୀକୁ ହତ୍ୟା କରୁଛି । ତୁ ଆସି ହସ୍ପିଟାଲରୁ ତୋ ଭଉଣୀର ଲାସ୍ ନେଇଯିବୁ । ଅଙ୍କୁରର କଥା ଶୁଣି ମୁଁ ଅଙ୍କୁରକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲି ଏବଂ ତୁରନ୍ତ କାଜଲକୁ କଲ୍ କରିଥିଲି, କିନ୍ତୁ ସେତେବେଳକୁ ଡେରି ହୋଇସାରିଥିଲା । ନିଖିଲ୍ ଫୋନ୍ କଲରେ ଥିବା ସମୟରେ ହିଁ ଅଙ୍କୁର କାଜଲଙ୍କୁ ହତ୍ୟା କରିଥିଲା ।

ଅଧିକ ପଢ଼ନ୍ତୁ---ଗ୍ରେଟର ନୋଏଡାରେ ଚାଞ୍ଚଲ୍ୟ, ପିଲାଙ୍କୁ ବିଷ ଦେବା ପରେ ଦମ୍ପତିଙ୍କ ଆତ୍ମହତ୍ୟା ସନ୍ଦେହ

ପରିବାରଙ୍କ କହିବା ଅନୁସାରେ, ଅଙ୍କୁର କାଜଲଙ୍କ ମୁଣ୍ଡକୁ ଡମ୍ବଲରେ ଆଘାତ କରିଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯେଉଁଥିଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସବୁଠୁ ଦୁଃଖଦ କଥା ହେଉଛି, କାଜଲ ୪ମାସର ଗର୍ଭବତୀ ଥିଲେ ଓ ତାଙ୍କର ଦେଢ଼ ବର୍ଷର ଏକ ପୁଅ ବି ଅଛି । ଏବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଙ୍କୁରକୁ ଗିରଫ କରାଯାଇଛି ।