କନକ ବ୍ୟୁରୋ: ଦିନକୁ ଦିନ ଅସୁରକ୍ଷିତ ହୋଇଗଲାଣି ଭୁବନେଶ୍ୱର । ଲୁଟିବାକୁ ଆପାର୍ଟମେଣ୍ଟରେ ପଶୁଛନ୍ତି, ଆଉ ପଶୁ ପାଲଟି ଗଣଦୁଷ୍କର୍ମ କରିବାକୁ ପଛାଉନାହାନ୍ତି । ଭୁବନେଶ୍ୱରର ପୋଶ ଅଞ୍ଚଳ ମୈତ୍ରୀବିହାର ଗଣଦୁଷ୍କର୍ମ ଘଟଣାରେ ଆକ୍ସନକୁ ଆସିଛି ପୁଲିସ । ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ମୈତ୍ରୀବିହାରର ଏକ ଆପାର୍ଟମେଣ୍ଟରେ ଦୁର୍ବୃତ୍ତ ପଶି ମୋବାଇଲ ଓ ସୁନା ଚେନ ଲୁଟିବା ସହ ଛୁରୀ ଦେଖାଇ ଶିଶୁକନ୍ୟାକୁ ମୁଣ୍ଡଜାମିନ ରଖି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସୋମବାର ଥାନାରେ ପୀଡିତା ଅଭିଯୋଗ କରିବା ପରେ ପୁଲିସ ଛାନଭିନ ଆରମ୍ଭ କରି ୩ ଜଣଙ୍କୁ କାବୁ କରିଛି ।
ରବିବାର ରାତିର ଦୃଶ୍ୟ ଥିଲା ଭୟାନକ । ସୁରକ୍ଷା କର୍ମୀ ବି ପାଇନଥିଲେ ଟେର୍ । ୨୯ ତାରିଖ ରାତିରେ ଏହି ଗଣଦୁଷ୍କର୍ମ ଘଟଣା ନେଇ ରାଜଧାନୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୁଲିସ କମିଶନରଙ୍କ କହିବା ଅନୁସାରେ...
- ୨୯ ତାରିଖ ରାତିରେ ୩ ଜଣ ଦୁର୍ବୃତ୍ତ ଆପାର୍ଟମେଣ୍ଟରେ ପଶିଥିଲେ
- ୨ ଜଣ ଘର ଭିତରେ ପଶିଥିଲେ, ଜଣେ ଘର ବାହାରେ ଜଗିଥିଲେ
- ସୁରକ୍ଷା କର୍ମୀ ଘଟଣାର ଟେର୍ ପାଇନଥିଲେ
- ଛୁରୀ ଓ ଭୁଜାଲି ଲଗାଇ ଡରାଇଥିଲେ ଓ ଦୁଷ୍କର୍ମ କରିଥିଲେ
- ବାଲକୋନି ଦେଇ ଆସିଥିଲେ ଓ ବାଲକୋନି ଦେଇ ଚାଲିଯାଇଥିଲେ
- ୨ ଅଭିଯୁକ୍ତଙ୍କ ନାଁରେ ଅପରାଧିକ ମାମଲା ରହିଛି
ପୁଲିସ କମିଶନର କହିଛନ୍ତି, ଆଗକୁ ସେ ନିଜେ ଆପାର୍ଟମେଣ୍ଟ ବା କଲୋନୀ ବାସିନ୍ଦାଙ୍କ ସହ କଥା ହେବେ ।
ଆଗରୁ ଭୁବନେଶ୍ୱର ଉପକଣ୍ଠ ଆପାର୍ଟମେଣ୍ଟକୁ ଟାର୍ଗେଟ୍ କରୁଥିଲେ ଲୁଟେରା । ଏବେ ଜଗଗହଳିପୂର୍ଣ୍ଣ ଅଞ୍ଚଳର ଆପାର୍ଟମେଣ୍ଟକୁ ଟାର୍ଗେଟ୍ କରିବା କମିଶନରେଟ ପୁଲିସ ପାଇଁ ନୂଆ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ରାସ୍ତା ଉପରେ କଡା ଚେକିଂ ଚାଲିଛି ବୋଲି କହୁଥିବା ପୁଲିସ ଏଥିରୁ ଚେତିବ ବୋଲି ଆଶା କରାଯାଉଛି ।