କନକ ବ୍ୟୁରୋ: ସମ୍ବଲପୁରରେ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ମାମଲା, ଅଭିଯୁକ୍ତ ଗାଡ଼ି ଚାଳକର ହେବ ପଲିଗ୍ରାଫ୍ ଟେଷ୍ଟ। ଧନକଉଡ଼ାରେ ଦୁଇ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହୋଇଛି ପୁଲିସ। ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଥିବାରୁ ବୁର୍ଲା ପୁଲିସ ତାର ପଲିଗ୍ରାଫ୍ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ କରିଛି । ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗୁରୁବାର ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା ପଲିଗ୍ରାଫ୍ ଟେଷ୍ଟ ସହିତ ଅଭିଯୁକ୍ତର ସାଇକ୍ରିଏଟିକ ପରୀକ୍ଷା ମଧ୍ୟ କରାଯିବ ବୋଲି ଉତ୍ତରାଞ୍ଚଳ ଆଇଜି ହିମାଶୁଂ ଲାଲ୍ ସୂଚନା ଦେଇଛନ୍ତି ।
ଗତ ୩ ତାରିଖରେ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଦୁଇ ସହଯୋଗୀ ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆ କାର ଯୋଗେ ଭୁବନେଶ୍ବରରୁ ଘରକୁ ଫେରୁଥିବା ବେଳେ ଆ.କଟାପାଲି ନିକଟରେ ହାଇୱା ଚାଳକ ପ୍ରସନ୍ନ ସେମାନଙ୍କ କାରକୁ ବାରମ୍ବାର ଧକ୍କା ଦେଇଥିଲା। ଫଳରେ କାରରେ ଥିବା ଦେବେନ୍ଦ୍ର ଓ ମୁରଲୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଗିରଫ ପରେ ଜେରା ସମୟରେ ଅଭିଯୁକ୍ତ ପ୍ରସନ୍ନ ଦୁହିଁଙ୍କୁ ଗାଡ଼ି ଚଢାଇ ମାରିଥିବା ସ୍ବୀକାର କରୁଥିଲେ ମଧ୍ୟ ଏହା ପଛର କାରଣ କହୁନାହିଁ। ତେଣୁ ପଲିଗ୍ରାଫ୍ ଟେଷ୍ଟ ପରେ ହତ୍ୟା ପଛର ପ୍ରକୃତ ରହସ୍ୟ ଉପରୁ ପରଦା ଉଠିବ ବୋଲି ଆଶା ରଖିଛି ପୁଲିସ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/10/GRpwpTPi4h2j6igkmYFB.jpg)