କନକ ବ୍ୟୁରୋ: ମହିଳା ଟ୍ରାଫିକ୍ କନେଷ୍ଟବଳ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ । ପ୍ରଥମ ପତ୍ନୀଙ୍କୁ ହତ୍ୟା ପରେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ଦ୍ବିତୀୟ ବିବାହ କରିଥିଲା ଅଭିଯୁକ୍ତ ଦୀପକ ରାଉତ । ବିବାହ କରିଥିବା ନେଇ ମ୍ୟାରେଜ୍ ସାର୍ଟିଫିକେଟ୍ ସାମ୍ନାକୁ ଆସିଛି । ୨୦୨୪ ମସିହା ଜୁଲାଇ ମାସ ୨୫ ତାରିଖରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲେ ଦୀପକ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୀପକ ତା’ର ପ୍ରଥମ ପତ୍ନୀଙ୍କୁ ହତ୍ୟା କରି ହାତେଇଥିଲା କୋଟିଏ ଟଙ୍କା । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ, ଇନ୍ସ୍ୟୁରାନ୍ସ ବାବଦକୁ ଏହି ଟଙ୍କା ପାଇଥିଲା । କିନ୍ତୁ ଅଭିଯୁକ୍ତ ଦୀପକ ଏହାକୁ ଏକ ଦୁର୍ଘଟଣା ବୋଲି ପୁଲିସ ଆଗରେ ସଫେଇ ରଖିଥିଲା । ଖୋଦ୍ ଦୀପକ ପୁଲିସ ଆଗରେ ଏକଥା ସ୍ବୀକାର କରିଛି । ଗତ ୬ ତାରିଖରୁ ମହିଳା କନେଷ୍ଟବଳ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା ।
ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା । ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି । ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁରେ ମାଟିତଳେ ପୋତିଦେଇଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ଦୀପକ ରାଉତ । ଭୁବନେଶ୍ବରରେ ଏକ କାର ଭିତରେ ପ୍ରଥମେ ତଣ୍ଟି ଚିପି ହତ୍ୟା କଲା । ଆଉ ତା’ ପରେ କାର୍ ଯୋଗେ ମୃତଦେହକୁ କେନ୍ଦୁଝର ନେଇଯାଇଥିଲା । ମୃତଦେହ ପାଇଁ ବ୍ୟବହାର ହୋଇଥିବା କାରକୁ ଜବତ କରିଛି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ । ଆଜି ଅଭିଯୁକ୍ତ ଦୀପକକୁ ନେଇ କେନ୍ଦୁଝର ଅଭିମୁଖେ ବାହାରିସାରିଛି । ସେଠାରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାତି ଖୋଳା ହୋଇ ମୃତଦେହ ବାହାର କରାଯିବ । ତା’ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବ ।