କନକ ବ୍ୟୁରୋ: ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ସାରାଦେଶରେ ହଇଚଇ ପରେ ତଦନ୍ତକୁ ଜୋରଦାର କରିଛି ପଶ୍ଚିମବଙ୍ଗ ପୁଲିସ । ଦୁର୍ଗାପୁରର କ୍ରାଇମସ୍ପଟରେ ଛାନଭିନ୍ କରିବା ସହ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍। ଫେରାର ଥିବା ଅନ୍ୟ ଅଭିଯୁକ୍ତ ବି ଖୋଜା ଚାଲିଛି ।
କ୍ରାଇମସ୍ପଟରେ ତନାଘନା
ବନ୍ଧାହେଲେ ସଇତାନ
ମୁହଁ ଘୋଡା ହୋଇଥିବା ଏହି ଜହ୍ଲାଦଙ୍କୁ ଦେଖନ୍ତୁ । ଏମାନେ ସେହି ସଇତାନ ଯେଉଁମାନେ ପଶ୍ଚିମବଂଗର ଦୁର୍ଗାପୁରରେ ଓଡ଼ିଆ ଝିଅକୁ ଦୁଷ୍କର୍ମ କରିଛନ୍ତି। ଛାତ୍ରୀଙ୍କୁ ନିଛାଟିଆ ସ୍ଥାନକୁ ଟାଣିନେବା ସହ ନୃଶଂସତାର ସବୁ ସୀମା ଟପି ଯାଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ପାଇବା ପରେ ସେମାନଙ୍କୁ ବାନ୍ଧିଛି ପୁଲିସ। କୋର୍ଟରେ ହାଜର ପରେ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେଇଛି ପୁଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ ।
ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କ୍ରାଇମସ୍ପଟକୁ ଯାଇ ଛାନଭିନ କରିଛି ପୁଲିସ। ଆସନସୋଲ ଦୁର୍ଗାପୁର ପୁଲିସ କମିସନର ଘଟଣାସ୍ଥଳକୁ ଯାଇ ସେଦିନ ଘଟଣାସ୍ଥଳରେ କଣ ହୋଇଥିଲା? କ୍ରାଇମ ସ୍ପଟରେ କେତେ ଜଣ ଥିଲେ? ସେହି ସ୍ଥାନରେ ସେହି ସମୟରେ କେତେ ଜଣଙ୍କ ମୋବାଇଲ ଆକ୍ଟିଭ୍ ଥିଲା ତାର ଛାନଭିନ କରିଛି ପଶ୍ଚିମବଂଗ ପୁଲିସ। ସାଇଣ୍ଟିଫିକ୍ ଟିମ୍ ବି ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରିଛି।
ଏହି ଘଟଣାରେ ପଶ୍ଚିମବଂଗ ପୁଲିସ ତଦନ୍ତକୁ ଜୋରଦାର କରିଥିଲେ ବି ପୀଡିତାଙ୍କ ପରିବାର ପୂରା ଭାଂଗି ପଡିଛନ୍ତି। ଝିଅକୁ ଓଡ଼ିଶାକୁ ଆଣି ଚିକିତ୍ସା କରିବେ ବୋଲି କହିଛନ୍ତି ପୀଡିତାଙ୍କ ବାପା। ସହଯୋଗ କରିବାକୁ ସେଠାରେ ଓଡ଼ିଶା ସରକାରଙ୍କ ଏକ ଟିମ୍ ପହଞ୍ଚିଛନ୍ତି ।
ଅଭିଯୋଗ ଅନୁସାରେ ଛାତ୍ରୀ ଜଣକ କ୍ୟାମ୍ପସ ବାହାରେ ଜଣେ ବନ୍ଧୁଙ୍କ ସହ ଚାଲୁଥିବା ବେଳେ କିଛି ଦୁର୍ବୃତ୍ତ ପିଛା କରିଥିଲେ । ଭୟରେ ବନ୍ଧୁ ଜଣଙ୍କ ଦୌଡ଼ି ପଳାଇଥିବା ବେଳେ ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ନିଛାଟିଆ ସ୍ଥାନକୁ ଟାଣିନେଇ ଦୁଷ୍କର୍ମ କରିଥିଲେ ।