କନକ ବ୍ୟୁରୋ : ବାତ୍ୟାକୁ ନେଇ ପାଣିପାଗ ବିଭାଗର ସୂଚନା । ଭିତରକନିକା ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା । ପାଣିପାଗ ବିଭାଗ ବାତ୍ୟାକୁ ନେଇ ସ୍ପଷ୍ଟ ସୂଚନା ଏବେ ଦେଇଛି । ରାଡାରରେ ବି ବାତ୍ୟା ଦୃଶ୍ୟମାନ ହେଲାଣି । ଏବେ ପାରାଦୀପ ଠାରୁ ୫୨୦ କିମି ଦୂରରେ ଅବସ୍ଥିତ ଅଛି , ୧୫ କିଲୋମିଟର ବେଗରେ ଆଗକୁ ବଢୁଛି । ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ଦାନା । ୨୪ ତାରିଖ ମଧ୍ୟରାତ୍ରିରୁ ୨୫ ତାରିଖ ସକାଳ ଭିତରେ ସ୍ଥଳଭାଗ ଛୁଇଁବ ଓ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ମଝିରେ ମଝିରେ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଦେଇପାରେ ଝଟକା । ବାତ୍ୟା ପାଇଁ ଧାମରା, ପାରାଦୀପ ଓ ପୁରୀ ବନ୍ଦରରେ ୪ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଗୋପାଳପୁରକୁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।