କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି I ମୃତକ ହେଲେ ଗାଦାବାଗୁଡା ଗାଁର ଅଭି ମିଣିଆକା ଓ ଶରତ ତାଡ଼ିଙ୍ଗି । ଆହତଙ୍କୁ ପ୍ରଥମେ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୋଟିଏ ବାଇକରେ ୪ ଜଣ ଓ ଅନ୍ୟ ବାଇକରେ ୨ ଜଣ ଥିଲେ । ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନି ହୋଇଛି ।
ସେପଟେ ରାୟଗଡ଼ାରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ଟିପ୍ପର । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଭାଲେରୀ କୁଡ଼ିଆ ଗାଁ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ରାମାନାଗୁଡା ବ୍ଲକ୍ ଅନ୍ତର୍ଗତ ଅର୍ଜୁନଗୁଡା ଗାଁର ଅଲିକ୍ଷ ପାତିକା ଓ ଅଜୟ ପାଲକା । ସୂଚନା ଅନୁସାରେ, ଆଜି ଭୋର ସକାଳୁ ଟିପ୍ପରଟି ଗୁଣପୁରରେ ବାଲି ଅନଲୋଡ କରି ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଗୁରୁତର ଅବସ୍ଥାରେ ଗାଡ଼ି ଚାଳକଙ୍କୁ ଚିକିତ୍ସା କରାଯାଉଛି ।