କନକ ବ୍ୟୁରୋ : ସରକାରୀ ସ୍ତରରେ ଦୁର୍ଘଟଣା ରୋକିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବ୍ଲାକ୍ ସ୍ପଟ୍ ଚିହ୍ନଟ କରିବା ସହ ଦୁର୍ଘଟଣାର କାରଣ ଖୋଜା ଚାଲିଛି । ହେଲେ ଦୁର୍ଘଟଣା କମିବା ପରିବର୍ତ୍ତେ ବଢ଼ିଚାଲିଛି । ଗଞ୍ଜାମ ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ସାନ ଘାଟିରୁ ବଡ଼ ଘାଟି ଯିବା ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏନେଇ ଅଭିଯୋଗ କଲେ ଜାତୀୟ ବିଭାଗ ତରଫରୁ କିଛି ପଦକ୍ଷେପ ତ ଦୂରର କଥା ଦୁର୍ଘଟଣା ସ୍ଥଳରେ ଜଣେ ବି ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳୁନାହିଁ ।
ଖଲ୍ଲିକୋଟ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ସାନ ଘାଟିରୁ ବଡ଼ ଘାଟିକୁ ଯିବା ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଚେନ୍ନାଇରୁ କୋଲକାତାକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ବିଭିନ୍ନ ରାଜ୍ୟରୁ ମାଲବାହୀ ଟ୍ରକ, କଣ୍ଟେନର୍ ଭଳି ବଡ଼ବଡ଼ ଗାଡ଼ି ଯାତୟତ କରୁଛି । ଅନେକ ସମୟରେ ଭିନ୍ନଭିନ୍ନ କାରଣ ପାଇଁ ଦୁର୍ଘଟଣା ଘଟୁଛି । ଅକାଳରେ ଲିଭିଯାଉଛି ଅନେକ ଜୀବନଦୀପ । ଆତ୍ମୀୟଙ୍କୁ ହରାଇ ଆତ୍ମହରା ସଂପର୍କୀୟ । ଲକ୍ଷଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହେଉଛି । ତଥାପି ଘାଟିରାସ୍ତା ପ୍ରତି ଗୁରୁତ୍ୱ ଦେଉନାହିଁ ଜାତୀୟ ରାଜପଥ ବିଭାଗ । ବାରମ୍ବାର ରାସ୍ତା ଅବରୋଧ ପରେ ବି ସ୍ଥାନଟିକୁ ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯାଉନାହିଁ ।
ଜାନୁଆରିରୁ ଏବେ ଯାଏଁ ଘାଟି ରାସ୍ତାରେ ଛୋଟ ବଡ଼ ୩୦ଟି ଦୁର୍ଘଟଣା ଘଟିଛି । ତେବେ ବଡ଼ ଘାଟି ରାସ୍ତା ନିର୍ମାଣରେ ତ୍ରୁଟି ପାଇଁ ଗୋଟିଏ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା କହିଛନ୍ତି ଜାତୀୟ ରାଜପଥର ପୂର୍ବତନ ଯନ୍ତ୍ରୀ । ଅନ୍ୟପଟେ ପୁଲିସ ପକ୍ଷରୁ ଏନେଇ ଜାତୀୟ ରାଜପଥ କର୍ମଚାରୀଙ୍କୁ ସତର୍କ କରାଇଥିଲେ ମଧ୍ୟ କେହି ଶୁଣୁନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ବଡ଼ ଘାଟିରେ ଥିବା ବିଭିନ୍ନ ବାଙ୍କ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି । ତେବେ ଏଥିରେ ବ୍ରେକ୍ ଲଗାଇବାକୁ ହେଲେ ତୁରନ୍ତ ରାସ୍ତାର ପୁନଃ ନିର୍ମାଣ ଜରୁରୀ ।