କନକ ବ୍ୟୁରୋ : ଘଟୁଛି ଘନଘନ ଦୁର୍ଘଟଣା । କାହାର ଜୀବନ ଯାଉଛି ତ ଆଉ କିଏ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛି । ନବରଙ୍ଗପୁର ଉମରକୋଟରୁ ସାମ୍ନାକୁ ଆସଛି ଦୁର୍ଘଟଣାର ଭୟଙ୍କର ଚିତ୍ର । ଗୋଟିଏ ଦିନରେ ୫ଟି ଦୁର୍ଘଟଣା ଘଟିବା ପରେ ବି ପ୍ରଶାସନର ଚେତା ପଶିନି । କେତେବେଳେ ବାଇକ୍ ତ କେତେବେଳେ ଅଟୋର ପାଳି ପଡୁଛି । ପ୍ରାୟ ପ୍ରତ୍ୟେକ ଦିନ କେହି ନା କେହି ଦୁର୍ଘଟଣାର ଶିକାର ହେଉଛି । ଡିଭାଇଡରରେ କୌଣସି ସତର୍କ ଫଳକ କିମ୍ବା ଚିହ୍ନ ଲଗାଯାଇ ନଥିବାରୁ ଜାଣି ପାରୁ ନାହାନ୍ତି ଯାତ୍ରୀ । ବ୍ୟବସାୟ ସ୍ଥଳକୁ ଯିବା ପାଇଁ ଏହା ମୁଖ୍ୟ ମାର୍ଗ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଗୋଟିଏ ସ୍ଥାନରେ ବାରମ୍ବାର ଘଟୁଛି ଦୁର୍ଘଟଣା। ଚାଲିଯାଉଛି ନିରିହ ଜୀବନ । ସମସ୍ୟା ନେଇ ଅଭିଯୋଗ ମଧ୍ୟ ହେଉଛି । କିନ୍ତୁ ସମାଧାନ କରିବା ପରିବର୍ତ୍ତେ ନିଦାବିଷ୍ଣୁ ସାଜିଛି ପ୍ରଶାସନ । ବାରମ୍ବାର ଦାବି ପରେ ବି ଡିଭାଇଡରରେ ଲାଗି ପାରୁନି ଫଳକ କିମ୍ବା ସତର୍କ ଚିହ୍ନ । ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ? ସେପଟେ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି କହିଛନ୍ତି ପୌର ଅଧିକାରୀ ।