କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ବାସ୍ କେବଳ କଠିନ ପରିଶ୍ରମ କରିବାର କଥା । ପ୍ରତିକୂଳ ପରିସ୍ଥିତିର ଯିଏ ସାମ୍ନା କରି ଆଗକୁ ବଢେ ଭଗବାନ ନିଶ୍ଚୟ ତାଙ୍କର ସାହା ହୁଅନ୍ତି । କିଛି ଏମିତି କଥା ଅନେକ ମହାପୁରୁଷମାନେ କହିଛନ୍ତି । ଆଉ ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି, ସେଇଥି ଲାଗି ତ ଏବେ ପୁରା ଦେଶରେ ସଫିନ୍ ହାସନ୍ଙ୍କୁ ନେଇ ଭାରି ଚର୍ଚ୍ଚା । କାରଣ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସେ ଯେତେ କଷ୍ଟ କରିଥିଲେ ଏବେ ତାହାର ଫଳ ପାଉଛନ୍ତି କହିଲେ ବୋଧହୁଏ ଭୁଲ ହେବ ନାହିଁ ।
ସେଦିନ ଥିଲା ୧୯୯୫ ମସିହା । ଗୁଜୁରାଟର ପାଲନପୁର ସହରରେ ସାଧାରଣ ପରିବାରରେ ଜନ୍ମ ହୁଅନ୍ତି ସଫିନ୍ । ହାସିନ ପାଇଁ ଉଭୟ ବାପା-ମାଆ କଠିନ ପରିଶ୍ରମ କରୁଥିଲେ । ସକାଳେ ବାପା ଇଟା ଭାଟିରେ କାମ କରୁଥିଲେ ତ ସଂଧ୍ୟା ହେଲେ ଅଣ୍ଡା ଦୋକାନ କରୁଥିଲେ । ସେପଟେ ମାଆ ଅନ୍ୟଘରେ ରୋଷେଇ କାମ କରୁଥିଲେ । ୨୦୦୦ ମସିହାରେ ଏକ ଡାଏମଣ୍ଡ ଫ୍ୟାକ୍ଟ୍ରିରେ ଉଭୟ ବାପା-ମାଆ କାମ କଲେ କିନ୍ତୁ ଉଭୟ ଏକ ସଙ୍ଗରେ ଚାକିରି ବି ହରାଇଲେ । ଚାକିରି ପଳାଇବା ପରେ ବଡ଼ କଷ୍ଟରେ ପରିବାର ଚଳାଉଥିଲେ ସଫିନ୍ଙ୍କ ବାପା । କିନ୍ତୁ ପୁଅକୁ ମଣିଷ କରିବାକୁ ଯାଇ କଠିନ ପରିଶ୍ରମ ବି କରୁଥିଲେ । ପାଠ ପଢିବା ଲାଗି ସଫିନ୍ ବନ୍ଧୁବାନ୍ଧବଙ୍କ ସାହାର୍ଯ୍ୟ ନେଲେ । କଲେଜ୍ରେ ପାଠ ବି ପଢିଲେ । ଏହାରି ଭିତରେ ୨୦୧୭ରେ ୟୁପିଏସଇ ପରୀକ୍ଷା ଦେବାକୁ ଯାଉଥିଲା ବେଳେ ବଡ଼ ଦୁର୍ଘଟଣାର ଶିକାର ହେଲେ । ହେଲେ ଆଶା ଛାଡ଼ିନଥିଲେ, ସେଇଥି ଲାଗି ପୁରା ଦେଶରେ ୫୭୦ ରାଙ୍କ ରଖି ଆଇପିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ।
ଦର୍ଶକବନ୍ଧୁ ଆମେ ଏମିତି ଅନେକ କାହାଣୀ ଦେଖିଛନ୍ତି , ଯେଉଁଠି ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଦୁର୍ବଳତା । ଠିକ୍ ସଫିନ୍ଙ୍କ କ୍ଷେତ୍ରରେ ବି କିଛି ସେମିତି ହୋଇଛି । ଏବେ ଆଇପିଏସ ଚାକିରି ପାଇବା ପରେ ପରିବାରର ଆର୍ଥିକ ସ୍ଥିତି ସୁଧୁରିଛି , ଅନ୍ୟଙ୍କ ଲାଗି ସେ ପ୍ରେରଣା ବୋଲି ଲୋକେ କହିଲେଣି ।