କନକ ବ୍ୟୁରୋ : ଧାନ ଅମଳ ବେଳେ ଅଘଟଣ । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ଧାନପେଡା ମେସିନ । ଟ୍ରାକ୍ଟର ସହିତ ଜଳିଗଲା ପ୍ରାୟ ୭୦ ବସ୍ତା ଧାନ । ଗତ କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଥଲା । ସେଥିରୁ ଯାହା ବଳିଥିଲା ଏବେ ନିଆଁ ଲାଗି ସେସବୁ ବି ଜଳିଗଲା ।

Advertisment

ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଡ଼କ୍ଷେତା ବିରକୃଷ୍ଣ ଶରଣପୁର ଗାଁରେ ଏଭଳି ଅଘଟଣ ଘଟିଛି । ଶରଣପୁର ଗାଁର ଚାଷୀ ଗୌରୀ କୁମାର ମିଶ୍ର ଧାର କରଜ କରି ଧାନ ଚାଷ କରିଥିଲେ । ଲଗାଣ ବର୍ଷା ଦାଉରୁ ବଞ୍ଚିଥିବା ଧାନକୁ ଧାନ ପେଡା ମେସିନରେ ଧାନ ପେଡୁଥିଲେ । ତେବେ ଧାନ ପେଡୁଥିବା ସମୟରେ ହଠାତ ମେସିନରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ ହୁତ ହୁତ ହୋଇ ଜଳି ଚାରିଆଡେ ବ୍ୟାପି ଯାଇଥିଲା । ଧାନ ପେଡା ମେସିନ, ଟ୍ରାକ୍ଟର ସହିତ ଧାନ ଗଦା ଜଳି ଯାଇଛି । ପ୍ରାୟ ୭୦ ବସ୍ତା ଧାନ ଜଳି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।