ବାପାଙ୍କୁ ମୁଖାଗ୍ନି ଦେବାକୁ ଯିବାବେଳେ ଚାଲିଗଲା ପୁଅର ଜୀବନ ; ଦୁର୍ଘଟଣାରେ ପୁଅ , ବୋହୂଙ୍କ ମୃତ୍ୟୁ

ଗୋଟିଏ ଦିନରେ ଚାଲିଗଲା ଦୁଇପୀଢିର ଜୀବନ ।  ବାପାଙ୍କୁ ମୁଖାଗ୍ନି ଦେବାକୁ ଗଲାବେଳେ  ବାଟରେ ଜଗିଥିଲା ଯମ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପୁଅ, ବୋହୂଙ୍କ ମୃତ୍ୟୁ । ନୟାଗଡରୁ ଆସିଲା ହୃଦୟବିଦାରକ ଘଟଣା ।

45

କନକ ବ୍ୟୁରୋ:  ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ଚାକିରି କ୍ଷେତ୍ରରୁ ଗାଁକୁ ଆସିବା ବେଳେ ବାଟରେ ଜଗିଥିଲା ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଚାଲିଗଲା ପୁଅ ସହିତ ବୋହୂର ଜୀବନ । ଗୋଟିଏ ଦିନରେ ବାପା, ପୁଅ ଓ ବୋହୂଙ୍କ ମୃତ୍ୟୁରେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

ପୂରା ପରିବାର ଭାଙ୍ଗି ପଡ଼ିଛି । ସମସ୍ତେ କାନ୍ଦୁଛନ୍ତି । ଗୋଟିଏ ଦିନରେ ବାପା, ପୁଅ ଓ ବୋହୂଙ୍କ ମୃତ୍ୟୁରେ ପରିବାର ଏବଂ ଆତ୍ମୀୟ ସ୍ୱଜନ କୋହ ସମ୍ଭାଳି ପାରୁନାହାନ୍ତି । ନୟାଗଡ଼ ଜିଲ୍ଲା ଗଣିଆ ତେଲିସାହିର ବଲ୍ଲଭ ସାହୁଙ୍କର ଗତକାଲି ଦେହାନ୍ତ ହୋଇଥିଲା । ନୂଆପଡ଼ାରେ ଶିକ୍ଷକ ଥିବା ପୁଅ ରାଜକିଶୋର ପତ୍ନୀ ମୀନାକ୍ଷୀଙ୍କ ସହ ଗାଁକୁ ଆସିବା ବେଳେ  ବୌଦ୍ଧ ନିକଟରେ ସଡ଼କ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଛି । 

ବାପା ବଲ୍ଲଭ ସାହୁଙ୍କ ପରଲୋକ ଖବର ପାଇ ପୁଅ  ରାଜକିଶୋର ସାହୁ ଓ ବୋହୂ ମୀନାକ୍ଷୀ ସାହୁ  କାର୍ ଯୋଗେ ନୂଆପଡ଼ାରୁ ନୟାଗଡ଼  ଆସୁଥିଲେ। ବୌଦ୍ଧ ରମ୍ଭିକଟା ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ ସହିତ କାରର ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ରାଜକିଶୋର ଓ ମୀନାକ୍ଷୀ ପ୍ରାଣ ହରାଇଛନ୍ତି । ବୌଦ୍ଧ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଗାଁକୁ ପଠାଇବା ବ୍ୟବସ୍ଥା କରାଯାଇଛି ।
   
ପୁଅବୋହୂଙ୍କ ମୃତ୍ୟୁ ଖବର ପାଇବା ପରେ  ସାହି ପଡ଼ିଶା ବାପା ବଲ୍ଲଭ ସାହୁଙ୍କ ସଂସ୍କାର କରିଛନ୍ତି । ବାପାଙ୍କ ମୃତ୍ୟୁ ଖବର ପାଇ ଘରକୁ ଫେରୁଥିବା ପୁଅ , ବୋହୂଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ନେଇ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe