କନକ ବ୍ୟୁରୋ: ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ଚାକିରି କ୍ଷେତ୍ରରୁ ଗାଁକୁ ଆସିବା ବେଳେ ବାଟରେ ଜଗିଥିଲା ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଚାଲିଗଲା ପୁଅ ସହିତ ବୋହୂର ଜୀବନ । ଗୋଟିଏ ଦିନରେ ବାପା, ପୁଅ ଓ ବୋହୂଙ୍କ ମୃତ୍ୟୁରେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ପୂରା ପରିବାର ଭାଙ୍ଗି ପଡ଼ିଛି । ସମସ୍ତେ କାନ୍ଦୁଛନ୍ତି । ଗୋଟିଏ ଦିନରେ ବାପା, ପୁଅ ଓ ବୋହୂଙ୍କ ମୃତ୍ୟୁରେ ପରିବାର ଏବଂ ଆତ୍ମୀୟ ସ୍ୱଜନଙ୍କ କୋହ ସମ୍ଭାଳି ପାରୁନାହାନ୍ତି । ନୟାଗଡ଼ ଜିଲ୍ଲା ଗଣିଆ ତେଲିସାହିର ବଲ୍ଲଭ ସାହୁଙ୍କର ଗତକାଲି ଦେହାନ୍ତ ହୋଇଥିଲା । ନୂଆପଡ଼ାରେ ଶିକ୍ଷକ ଥିବା ପୁଅ ରାଜକିଶୋର ପତ୍ନୀ ମୀନାକ୍ଷୀଙ୍କ ସହ ଗାଁକୁ ଆସିବା ବେଳେ ବୌଦ୍ଧ ନିକଟରେ ସଡ଼କ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଛି ।
ବାପା ବଲ୍ଲଭ ସାହୁଙ୍କ ପରଲୋକ ଖବର ପାଇ ପୁଅ ରାଜକିଶୋର ସାହୁ ଓ ବୋହୂ ମୀନାକ୍ଷୀ ସାହୁ କାର୍ ଯୋଗେ ନୂଆପଡ଼ାରୁ ନୟାଗଡ଼ ଆସୁଥିଲେ। ବୌଦ୍ଧ ରମ୍ଭିକଟା ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ ସହିତ କାରର ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ରାଜକିଶୋର ଓ ମୀନାକ୍ଷୀ ପ୍ରାଣ ହରାଇଛନ୍ତି । ବୌଦ୍ଧ ହସ୍ପିଟିଲାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଗାଁକୁ ପଠାଇବା ବ୍ୟବସ୍ଥା କରାଯାଇଛି ।
ପୁଅବୋହୂଙ୍କ ମୃତ୍ୟୁ ଖବର ପାଇବା ପରେ ସାହି ପଡ଼ିଶା ବାପା ବଲ୍ଲଭ ସାହୁଙ୍କ ସଂସ୍କାର କରିଛନ୍ତି । ବାପାଙ୍କ ମୃତ୍ୟୁ ଖବର ପାଇଁ ଘରକୁ ଫେରୁଥିବା ପୁଅବୋହୁଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ନେଇ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି ।