କନକବ୍ୟୁରୋ :  ମୁମ୍ବାଇ ବିମାନବନ୍ଦରର ରନୱେରେ ଟ୍ୟାକ୍ସି କରୁଥିବା ସମୟରେ ଆଜି ଦୁଇଟି ଯାତ୍ରୀବାହୀ ବିମାନର ଡେଣା ପରସ୍ପର ସହିତ ଧକ୍କା ହୋଇଛି। ଏୟାର ଇଣ୍ଡିଆ ବିମାନ ଏଆଇ୨୭୩୨ ଓ ଇଣ୍ଡିଗୋ ବିମାନ ୬ଇ ୭୯୧ର ଡେଣା ପରସ୍ପର ସହିତ ମାଡ଼ ହୋଇଥିବା ବିମାନ ଚଳାଚଳ ନିୟାମକ ଡିଜିସିଏ ଏକ ବିବୃତ୍ତିରେ କହିଛି । ଉଭୟ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏୟାରଲାଇନ୍ସ ଏହି ଘଟଣାକୁ ସ୍ବୀକାର କରିଛନ୍ତି ।  ବିମାନ ଦୁଇଟିର ଡେଣା ପରସ୍ପରକୁ ସ୍ପର୍ଶ କରିବା ପରେ ଏହାକୁ ‘ବେ’କୁ ଯାଞ୍ଚ ପାଇଁ ନିଆଯାଇଥିଲା ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।

Advertisment

ଏୟାର ଇଣ୍ଡିଆର ବିମାନଟି ତାମିଲନାଡୁର କୋଏମ୍ବାଟୁରକୁ ଉଡ଼ାଣ ପାଇଁ ଟ୍ୟାକ୍ସି କରୁଥିବା ବେଳେ ଇଣ୍ଡିଗୋ ବିମାନଟି ହାଇଦ୍ରାବାଦରୁ ପହଞ୍ଚିବା ପରେ ଟ୍ୟାକ୍ସି କରୁଥିବା ବେଳେ ରନୱେରେ ଦୁଇଟି ବିମାନର ଡେଣା ପରସ୍ପର ସହିତ ମାଡ଼ ହୋଇଥିଲା, ଯାହା ଫଳରେ ଉଭୟ ବିମାନର ଧାତୁ ଅଂଶରେ କ୍ଷତ ସୃଷ୍ଟି ହୋଇଥିଲା। ତେବେ ଦୁଇଟି ଯାକ ବିମାନର ଯାତ୍ରୀ ସୁରକ୍ଷିତ ଅଛନ୍ତି । 

ବିମାନରେ ମରାମତି ସମ୍ପର୍କିତ ଯାଞ୍ଚ କରାଯାଉଛି ଓ ସମ୍ପୃକ୍ତ ଘଟଣା ନେଇ ଯାଞ୍ଚ କରାଯାଉଥିବା ଇଣ୍ଡିଗୋ ବିମାନର ପ୍ରବକ୍ତା କହିଛନ୍ତି। ଏୟାର ଇଣ୍ଡିଆ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ବିମାନର ଯାଞ୍ଚ ଚାଲିଥିବାବେଳେ ଯାତ୍ରୀମାନଙ୍କୁ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବାକୁ ଏୟାରଲାଇନ୍ସ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।