କନକ ବ୍ୟୁରୋ: ଚାକିରି କରାଇଦେବାକୁ କହି ଲୁଟିନେଲେ କୋଟିକୋଟି ଟଙ୍କା । ବିଦେଶରେ ଉଚ୍ଚ ଦରମା ଚାକିରି ଦେବାର ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଚୂନ ଲଗାଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଓରଫ ବିରଞ୍ଚି ନାରାୟଣ ପଟ୍ଟନାୟକ ନାମକ ଜଣେ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବାସିନ୍ଦା ବିଷ୍ଣୁ ପ୍ରସାଦ ବିଭିନ୍ନ ଲୋକଙ୍କୁ ଠକି ପ୍ରାୟ ୧ କୋଟି ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ହୋଇଛି ଅଭିଯୋଗ । ବିଦେଶ ବିମାନ କମ୍ପାନିରେ ଚାକିରି କରାଇବାକୁ କହି ବିଭିନ୍ନ ନକଲି କାଗଜପତ୍ର ତିଆରି କରୁଥିଲା ଅଭିଯୁକ୍ତ ।
ଅଫର ଲେଟରରୁ ନେଇ ନିଯୁକ୍ତି ପତ୍ର ପର୍ଯ୍ୟନ୍ତ ନକଲି ତିଆରି କରି ପ୍ରଲୋଭନ ଦେଖାଇ ଟଙ୍କା ଠକି ନେଇଥିଲା । ଏହା ବ୍ୟତୀତ ବିଷମକଟକ ଥାନା ମାମଲାରେ ମଧ୍ୟ ଅଭିଯୁକ୍ତ ଫେରାର ଥିବା ଅବସ୍ଥାରେ ଚାର୍ଜସିଟ ଦାଖଲ ହୋଇଥିଲା । ବିଷ୍ଣୁ ପ୍ରସାଦ ନିଜକୁ ଡାକ୍ତର, ପ୍ରଫେସର, ଇଞ୍ଜିନିୟର ଇତ୍ୟାଦି ଭାବେ ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିଲା । ଏହାସହ ସେ ନିଜ ପରିଚୟ ଲୁଚାଇବା ପାଇଁ ଜାଲ ଠିକଣା ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ତିଆରି କରିଥିଲେ । ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ କାମ୍ବୋଡିଆକୁ ପଳାଇଥିଲେ ଏବଂ ଦ୍ୱିତୀୟ ପାସପୋର୍ଟ ତିଆରି କରି ନିଜ ପରିଚୟ ଲୁଚାଇଥିଲେ । ୨୦୧୯ ଜାନୁଆରି ୧୭ରେ ତାଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଥିଲା, ଯାହା ୨୦୨୦ରେ ମଧ୍ୟ ଜାରି ରହିଥିଲା । ତାଙ୍କ ବିରୁଦ୍ଧରେ ରାୟଗଡ଼ା ଜିଲ୍ଲା ସହ ବିଶାଖାପାଟଣା, ବ୍ରହ୍ମପୁର, ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରତାରଣା ଅଭିଯୋଗ ରହିଛି । ୨୦୨୫ ମଇ ମାସରେ ସେ ଭାରତକୁ ଫେରିଥିବାବେଳେ ସିଆଇଡି କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ଉପରେ ନଜର ରଖିଥିଲା । ଅଭିଯୁକ୍ତ ବିଷ୍ଣୁକୁ ଭୁବନେଶ୍ୱରରୁ ଗିରଫ କରିଥିଲା ।