କନକ ବ୍ୟୁରୋ: ଇଞ୍ଜିନିୟର ବାବୁଙ୍କ ଅମାପ ସମ୍ପତ୍ତି । ଯେତେ ଗଣିଲେ ବି ସରୁନି ଟଙ୍କା । ଭୁବନେଶ୍ୱର ଗ୍ରାମ ଉନ୍ନୟନ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ସମ୍ପତ୍ତି ଦେଖି ଟେରା ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ବାବୁଙ୍କଠୁ ପ୍ରାୟ ୭ କୋଟି ଟଙ୍କା ଠାବ ହେଲାଣି । ଏପର୍ଯ୍ୟନ୍ତ ବାବୁଙ୍କ ଘରୁ ନଗଦ ଅଢେଇ କୋଟିରୁ ଅଧିକ ଟଙ୍କା ଠାବ ହୋଇଛି । ଭୁବନେଶ୍ବର ସ୍ଥିତ ବାସଭବନରୁ ୧ କୋଟି ୨୧ ଲକ୍ଷ ଏବଂ ଅନୁଗୁଳ ସ୍ଥିତ ବାସଭବନରୁ ୧ କୋଟି ୩୦ ଲକ୍ଷ ଟଙ୍କା ଜବତ ହୋଇଛି । ୨ କୋଟି ୭୦ ଲକ୍ଷ ଟଙ୍କା ସେୟାର ମାର୍କେଟରେ ନିବେଶ କରିଛନ୍ତି ବୈକୁଣ୍ଠନାଥ । ବ୍ୟାଙ୍କ ଏବଂ ଇନସ୍ୟୁରାନ୍ସରେ ଦେଢ କୋଟି ଟଙ୍କା ଜମା ଅଛି । ଖାଲି ଟଙ୍କା ନୁହଁ ବୈକୁଣ୍ଠନାଥଙ୍କର ଜମି ବି କିଛି କମ ନାହିଁ ।
ଭୁବନେଶ୍ବର ଉପକଣ୍ଠ ଏବଂ ଅନୁଗୁଳରେ କୋଟି କୋଟି ଟଙ୍କାର ୭ଟି ପ୍ଲଟ ଠାବ ହୋଇଛି । ଅନୁଗୁଳ କରଡଗଡ଼ିଆରେ ଦୁଇଟି ପ୍ଲଟ, ଅନୁଗୁଳ ମାଳିସାହିରେ ଗୋଟିଏ, ପୁରୀ ପିପିଲି ସିଉଳାରେ ୪ ଟି ପ୍ଲଟ ଠାବ ହୋଇଛି । ସେହିପରି ଅନୁଗୁଳ କରଡ଼ଗଡ଼ିଆ ଏବଂ ମାଳି ସାହିରେ ଦୁଇ ମହଲା ବିଶିଷ୍ଟ ଦୁଇଟି ଘର, ଭୁବନେଶ୍ବର ଡୁମୁଡୁମାରେ ୧୫୩୦ ସ୍କୋୟାର ଫୁଟର ଫ୍ଲାଟ, ପୁରୀ ପିପିଲିରେ ୧୧୦୦ ସ୍କୋୟାରଫୁଟର ଘର ଠାବ ହୋଇଛି । ତେବେ ଠାବ ହୋଇଥିବା ପ୍ଲଟ ଏବଂ ଫ୍ଲାଟ, ଘର ଗୁଡିକରେ ମୁଲ୍ୟାୟନ ପ୍ରକ୍ରିୟା ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଗୁଳ, ପୁରୀ ଓ ଭୁବନେଶ୍ବର ସ୍ଥିତ ଘରେ ଏକକାଳୀନ ଚାଲିଛି ଚଢ଼ାଉ । ଆଉ ଦୁଇ ଦିନ ପରେ ସରିଥାନ୍ତା ଚାକିରି ଜୀବନ। ହେଲେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୈକୁଣ୍ଠନାଥ । ଅନୁଗୁଳ କରଡ଼ାଗାଡ଼ିଆରେ ଥିବା ଦୁଇ ମହଲା କୋଠା, ଶିକ୍ଷକପଡ଼ାରେ ଥିବା ସମ୍ପର୍କୀଙ୍କ ଘରେ ରେଡ୍ କରାଯାଉଛି । ସେହିପରି ଲୋକେଇପାସିରେ ଥିବା ପୈତୃକ ଘର, ମାଟିଆ ସାହିରେ ଥିବା ଘରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ଏହା ସହ ଭୁବନେଶ୍ବର ଡୁମୁଡୁମାରେ ଥିବା ଘର ଓ ଭୁବନେଶ୍ବର ଅଫିସ୍ ସମେତ ପୁରୀ ପିପିଲି ଅଞ୍ଚଳର ଶିଉଳାରେ ରେଡ୍ କରାଯାଉଛି ।