କନକ ବ୍ୟୁରୋ : ଐଶ୍ବର୍ଯ୍ୟାଙ୍କ ସହ ଛାଡ଼ପତ୍ରକୁ ନେଇ ହେଉଥିବା ଆଲୋଚନା ମଧ୍ୟରେ ଅଭିଷେକ ବଚ୍ଚନ ନିଜର ନିରବତା ଭାଙ୍ଗିଛନ୍ତି । ବହୁତ ଦିନ ହେବ କପଲଙ୍କ ଛାଡପତ୍ର ନେଇ ଅନେକ ଆଲୋଚନା ଚାଲିଛି । ଏ ସମ୍ପର୍କରେ ନା ଐଶ୍ବର୍ଯ୍ୟା କେବେ ମିଡିଆ ସାମ୍ନାରେ କିଛି କହିଥିଲେ ନା ଅଭିଷେକ ବଚ୍ଚନ । ଏବେ ଅଭିଷେକ ଏହି ମିଥ୍ୟା ଆଲୋଚନା ଉପରେ ବିରାମ ଲଗାଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଐଶ୍ବର୍ଯ୍ୟା ଏବଂ ତାଙ୍କ ସମ୍ପର୍କର ସତ୍ୟତା ଜଣାଇଛନ୍ତି । ଅଭିଷେକ କହିଛନ୍ତି ମୁଁ ଯେତେବେଳେ କାମ ସାରି ଘରକୁ ଫେରିଥାଏ ସେତେବେଳେ ମୋ ଏକ ସୁନ୍ଦର ପରିବାର ଦେଖିବାକୁ ମିଳିଥାଏ ।
ଅଭିଷେକ ଆଗକୁ ମଧ୍ୟ କହିଛନ୍ତି ତାଙ୍କ ସ୍ତ୍ରୀ ଐଶ୍ବର୍ଯ୍ୟା ବାହାର ଦୁନିଆର ଆଲୋଚନା କୁ କେବେ ଧ୍ୟାନ ଦେଇନଥାନ୍ତି କି ପରିବାରରେ ଏହାର ପ୍ରଭାବ ମଧ୍ୟ ପଡିବାକୁ ଦିଅନ୍ତି ନାହିଁ । ଅଭିଷେକ ଆହୁରି ମଧ୍ୟ କହିଛନ୍ତି ମୋ ମା’ ଏବଂ ସ୍ତ୍ରୀ ବାହାରର ଦୁନିଆର କଥାବର୍ତ୍ତାକୁ ଖାତିର କରନ୍ତି ନାହିଁ କି ଘରେ ପ୍ରବେଶ କରାଇଦିଅନ୍ତି ନାହିଁ । ଅଭିଷେକ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ ରହି ହିଁ ମୁଁ ବଡ଼ ହୋଇଛି । ତେଣୁ ମୁଁ ଜାଣିଛି କେଉଁ କଥାକୁ ଗୁରୁତ୍ବର ସହ ନେବା ଉଚିତ୍ ଆଉ କେଉଁ କଥା ନେବା ଉଚିତ୍ ନୁହେଁ । ସୋସିଆଲ ମିଡ଼ିଆରେ କଣ ଚାଲିଛି ସେଥିରୁ ମୋର କିଛି ଫରକ୍ ପଡେନା ବୋଲି ଅଭିଷେକ କହିଛନ୍ତି ।