କନକ ବ୍ୟୁରୋ : ଅଭିଜିତ ମଜୁମଦାର…ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ । ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ସେ ବେଶ୍ ଜାଣନ୍ତି । ତାଙ୍କ ଗୀତ ବାଜିଲେ ଝୁମନ୍ତି ଦର୍ଶକ ଆଉ ଅନେକଙ୍କ ଆଖିରୁ ଲୁହ ବି ଝରେ । ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦା’ ଏବେ କୋମାରେ । ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିଜିତ୍ ମଜୁମଦାର। ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚାଲିଛି ଚିକିତ୍ସା । ଡାକ୍ତର କହିଛନ୍ତି, ଅଭିଜିତ୍ ନିମୋନିଆରେ ଆକ୍ରାନ୍ତ । ଏବେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା କହିଛନ୍ତି ଡାକ୍ତରୀ ଟିମ୍ । କଟକର ଏକ ଘରୋଇ ଡାକ୍ତରଖାନାରେ ଗତ ସପ୍ତାହେ ଧରି ଚିକିତ୍ସା ଚାଲିଥିଲା । ଅବସ୍ଥା ବିଗିଡିଯିବାରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି ।
ଗତ କିଛି ଦିନ ହେବ ଲିଭର ସିରୋସିସରେ ପୀଡିତ ଅଛନ୍ତି ଅଭିଜିତ୍ । ଏଥିପାଇଁ ଚିକିତ୍ସା ବି ଚାଲିଥିଲା । ସମୟ ଗଡ଼ିବା ସହ ଏବେ ଅନ୍ୟ ସମସ୍ୟା ବି ବଢୁଥିବା ଡାକ୍ତରୀ ଦଳ କହିଛନ୍ତି । ଅଭିନେତା ବାବୁସାନ ମହାନ୍ତି ଏମ୍ସରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି । ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ବାବୁସାନ ।
ଓଡ଼ିଆ ଫିଲ୍ମ ଜଗତର ବ୍ୟକ୍ତି ବିଶେଷ ଏମ୍ସ ଯାଇ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କିଛି ରାଜନେତା ନିଜ ସୋସିଆଲ ମିଡିଆରେ ଅଭିଜିତଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି ।