କନକ ବ୍ୟୁରୋ: ଝାରସୁଗୁଡ଼ାରେ ସୁଧଖୋରଙ୍କ ଦୌରାତ୍ମ୍ୟ । ଋଣ ନେଇଥିବା ଜଣେ ଯୁବକ ଦାବି ମୁତାବକ ଅର୍ଥ ଶୁଝି ପାରିନଥିଲେ । ତାଙ୍କୁ ଅପହରଣ କରି ହତ୍ୟା ଉଦ୍ୟମ ହୋଇଛି । ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସାମ୍ନାକୁ ଆସୁଛି ତା’ ଆପରାଧିକ ସାମ୍ରାଜ୍ୟର ଚାଞ୍ଚଲ୍ୟକର ତଥ୍ୟ ।  

Advertisment


ବ୍ୟବସାୟୀ ସାଗର ଦାସ  ୨୦୨୨ ନଭେମ୍ବର ମାସରେ ମାନ୍ ସୁଲତାନ୍‌ ଓରଫ୍‌ ରାଜାଠାରୁ ମାସିକ ୧୦ ପ୍ରତିଶତ ସୁଧରେ ୮ ଲକ୍ଷ ଟଙ୍କା ଋଣ ନେଇଥିଲେ । ରିଲ୍ସରେ ହିରୋ ଷ୍ଟାଇଲ ମାରନ୍ତି ମାନ୍ ସୁଲତାନ । ଋଣ ନେଇ ଏବେସୁଦ୍ଧା ସାଗର ୨୧ ଲକ୍ଷ ୬୦ ହଜାର ଟଙ୍କା ଶୁଝିଲେଣି । ଆହୁରି ଟଙ୍କା ଦାବି କରି ଶନିବାର ସାଗରଙ୍କୁ ଏକ କଳା ସ୍କର୍ପିଓରେ ଅପହରଣ କରାଯାଇଥିଲା । ନିସ୍ତୁକ ମାଡ଼ ସହ ଦୁର୍ବୃତ୍ତ ଆଉ ଏକ କାରରେ ନେଇ ଭୁଜାଲି ଭୁଷି ହତ୍ୟା ଉଦ୍ୟମ କରିଥିଲେ । ସାଗରଙ୍କୁ ଏକ ଘରେ ବନ୍ଦ କରି ପରିବାରକୁ ୭୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ପରିବାରଠାରୁ ଖବର ପାଇ ସାଗରଙ୍କୁ ପୁଲିସ ଉଦ୍ଧାର କରିଛି ।  

ମାନ୍ ସୁଲତାନ୍‌ ସମେତ ୭ ଜଣ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ମାନ୍ ସୁଲତାନଠାରୁ ଦୁଇଟି ଦାମୀ ଗାଡ଼ି, ନଗଦ ୬ ଲକ୍ଷ ୨୯ ହଜାର ଟଙ୍କା, ୫୦୦ ଗ୍ରାମ୍ ସୁନା, ବହୁ ପରିମାଣର ରୁପା, ବିଭିନ୍ନ ଜମି ମାଲିକଙ୍କ କାଗଜପତ୍ର ଜବତ କରାଯାଇଛି । ଆକାଉଣ୍ଟରେ ଠାବ ହୋଇଛି ୧ ଲକ୍ଷ ୩୮ ହଜାର ଟଙ୍କା । ମାନ ସୁଲତାନ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ତଥ୍ୟ ସମ୍ନାକୁ ଆସୁଛି । ସେ ରିଲ୍ସ କରି ଗଢ଼ିଥିଲା ଆପରାଧିକ ସାମ୍ରାଜ୍ୟ । ଗିରଫ ହେବା ପରେ ତା’ ଦୌରାତ୍ମ୍ୟର ଶିକାର ହୋଇଥିବା ଲୋକଙ୍କ ତାଲିକା ଲମ୍ବୁଛି ।  

ତିନି ବର୍ଷ ତଳେ ମାନ ସୁଲତାନ ଇନ୍‌ଷ୍ଟାଗ୍ରାମରେ ରିଲ୍ସ ତିଆରି ଆରମ୍ଭ କରିଥିଲା । ରିଲ୍ସରୁ ରିଅଲରେ କିଭଳି ଏତେ ବଡ଼ ଆପରାଧିକ ସାମ୍ରାଜ୍ୟ ଗଢ଼ିଲା ?  ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।