କନକ ବ୍ୟୁରୋ: ଘର ଖଣ୍ଡିଏ ପାଇଁ ବହୁବାର ନିବେଦନ କରିଲେ । ହେଲେ ମିଳିଲାନି ଘର । ବାଧ୍ୟ ହୋଇ ବାଉଁଶ ବୁଦା ନିକଟରେ ପଲିଥିନ୍ ଟାଣି ରହୁଛନ୍ତି ବୃଦ୍ଧ ଦମ୍ପତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗଣ୍ଡାମେର ଗାଁର ନୀଳମଣି ନାଏକ । ଘର ନଥିବା ବେଳେ ବାଉଁଶ ବୁଦା ତଳେ ଖରା, ବର୍ଷା ଓ ଶୀତ କାକରରେ ପଡି ରହିଛନ୍ତି । ଦିନେ କି ଦୁଇଦିନ ନୁହେଁ ଏ ଦୁଃଖ କାହାଣୀ । ପ୍ରାୟ ୭ ବର୍ଷ ହେବ ଏମିତି ଦୁର୍ବିସହ ଜୀବନ ବିତାଉଛନ୍ତି ଏହି ବୃଦ୍ଧଙ୍କ ପରିବାର ।
ଜମିବାଡ଼ି ଘରଦ୍ୱାର କିଛି ନଥିବାରୁ ଗ୍ରାମର ଜଣେ ବ୍ୟକ୍ତି ନୀଳମଣିକୁ ଘର ନିର୍ମାଣ ପାଇଁ କିଛି ଜାଗା ଦେଇଥିଲେ । ସେଠାରେ ସେ ରହିବା ପାଇଁ ଖପର ଘର ଖଣ୍ଡେ ନିର୍ମାଣ କରିଥିଲା । ହେଲେ ବର୍ଷା ପବନରେ ଘର ମଧ୍ୟ ଭାଙ୍ଗି ଗଲା । ଏବେ ଅସହାୟ ହୋଇ ଖୋଲା ଆକାଶତଳେ ପଡି ରହିଛନ୍ତି ନୀଳମଣି । ବୟସର ଅପରାହ୍ନରେ ପହଞ୍ଚିଛନ୍ତି ନୀଳମଣି । ହେଲେ ଏଯାଏଁ ଭତ୍ତା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରୁନାହାନ୍ତି । ଘର ଭାଙ୍ଗି ଯାଇଥିବାରୁ ବାଉଁଶ ବୁଦା ତଳେ ଜୀଵନକୁ ବାଜି ଲଗାଇ ସେଠାରେ ରହୁଛନ୍ତି ।
ନୀଳମଣି ମଧ୍ୟ ଘର ଓ ଖଣ୍ଡିଏ ଓ ଭତ୍ତା ପାଇଁ ସରପଞ୍ଚଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ଜଣାଇଛନ୍ତି ହେଲେ କେହି ମଧ୍ୟ ତାଙ୍କ କଥା ଶୁଣୁନାହାନ୍ତି । ଘର ଖଣ୍ଡିଏ ନଥିବା ଅସହାୟ ବୃଦ୍ଧ ନୀଳମଣିଙ୍କୁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ କରିବା ସହ ଘର ଖଣ୍ଡିଏ ଯୋଗାଇବା ଜରୁରୀ ହୋଇପଡିଛି ।