କନକବ୍ୟୁରୋ : ଜଳବାୟୁରେ ପରିବର୍ତନ ଯୋଗୁଁ ଆଗାମି ଦିନରେ ମାନବ ସମାଜ ପାଇଁ ଏକ ବଡ ବିପଦ ସୃଷ୍ଟି ହେବାରେ ଲାଗିଛି । କେବେ ବାତ୍ୟା ତ କେବେ ଭୂମିକମ୍ପ? ଆଉ କେବେ ଗାଁ ଗିଳୁଛି ସମୁଦ୍ର । ଫଳରେ ସମୁଦ୍ର ତଟରେ ଥିବା ଗାଁ ଗୁଡିକ ହଜାଗଲାଣି ସମୁଦ୍ର ଗର୍ଭର।
ସମୁଦ୍ର କୂଳିଆ ଗାଁରେ ଜୀବନ, ସମୁଦ୍ରରେ ଜୀବିକା। ହେଲେ ଆଉ କିଛି ନାହିଁ । ଯାହା ଦେଇଥିଲା, ସବୁ ଛଡ଼ାଇ ନେଇଛି। ଗାଁ ଏବେ ଜନଶୂନ୍ୟ । ଆଖି ଆଗରେ ଘରଦ୍ୱାର ଧୋଇ ନେଉଛି ଦରିଆ। ପାଣିରେ ଭାସିଯାଇଛି କେତେ ସ୍ୱପ୍ନର ଘର । ଗଞ୍ଜାମ ବ୍ଲକ ପୋଡ଼ମପେଟା ଗାଁର। ପ୍ରାୟ ୪୦ ବର୍ଷ ତଳେ ପୋଡ଼ମପେଟା ଗାଁ ସ୍ଥାପିତ ହୋଇଥିଲା। ଦିନେ ଏଠାରେ ୨ଶହ ମତ୍ସ୍ୟଜୀବୀ ପରିବାରଙ୍କ ଜନବସତି ଥିଲା ।
ଏବେ ଖାଲି ଭଙ୍ଗା କାନ୍ଥ, ଗାଁର କରୁଣ କାହାଣୀ କହୁଛି । ମତ୍ସ୍ୟଜୀବୀ ପରିବାରଙ୍କ ଦୁଃଖ ବଖାଣୁଛି । ମୁହାଣ ପୋତି ହେବା ଏବଂ ଅଶାନ୍ତ ଜୁଆର ଗାଁକୁ ମାଡ଼ିଆସିବାରୁ ସମୁଦ୍ର ଗର୍ଭକୁ ଚାଲିଯାଇଛି ଅନେକ ଲୋକଙ୍କ ଘରଦ୍ୱାର । ୨୦୧୫ରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛି ପ୍ରଶାସନ। ସେଠାରେ ବି ବିଭିନ୍ନ ସମସ୍ୟା ରହିଛି। ପିଇବା ପାଣି ତ ମିଳୁନି, ଜୀବିକା ବି ମାରିଦେଇଛି ମୁହାଣ ।
ଗଞ୍ଜାମ ଜିଲ୍ଲାର ଚିକିଟି, ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ ବ୍ଲକର କିଛି ଗାଁ ସମୁଦ୍ର ନିକଟରେ ରହିଛି । ପୂର୍ବରୁ ଗାଁଠାରୁ ୫ କିଲୋମିଟର ଦୂରରେ ଥିଲା ସମୁଦ୍ର। ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରୁଥିଲେ ଏଠି ବସବାସ କରୁଥିବା ଲୋକ। ହେଲେ ଏବେ ଗାଁକୁ ମାଡ଼ୁଛି ସମୁଦ୍ର ପାଣି। ସମୁଦ୍ରକୂଳ ଲଙ୍ଘିବା ସହ ମୁହାଣ ପୋତି ହେଉଥିବାରୁ ମାଛ ମାରିବାରେ ଅସୁବିଧା ହେଉଛି। ଢେଉ ଅଧିକ ହେଉବାରୁ ଡଙ୍ଗା ବାହିବା କଷ୍ଟକର ହୋଇପଡ଼ୁଛି ।
ଅନେକ ସମୟରେ ଡଙ୍ଗା ଦୁର୍ଘଟଣାରେ ମତ୍ସ୍ୟଜୀବୀଙ୍କ ଜୀବନ ଚାଲି ଯାଉଛି । ତେଣୁ ଭୟରେ ରୋଜଗାର ହରାଇ ଦାଦନ ମୁହାଁ ପୋଡ଼ମପେଟା, ପୁରୁଣାବନ୍ଧ ଭଳି ୮ ଗାଁର ମତ୍ସ୍ୟଜୀବୀ। ଆଗାମୀ ଦିନରେ ଯଦି ସରକାର କିଛି ପଦେକ୍ଷପ ନନିଆନ୍ତି ତେବେ ଧୀରେଧୀରେ ସମୁଦ୍ର ଆଁରେ ଭୌଗଳିକ ମାନଚିତ୍ରରୁ ପୋଡମପେଟା ଭଳି ଅନେକ ସମୁଦ୍ରକୂଳିଆ ଗାଁ ଲିଭିଯିବାର ଢେର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।