କନକ ବ୍ୟୁରୋ : ଅଫର ୧୫-୧୫ କୋଟି ଟଙ୍କାର । ଆପର ଏକାଧିକ ପ୍ରାର୍ଥଙ୍କୁ କଲ ଆସୁଛି । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ପ୍ରାର୍ଥୀଙ୍କୁ କିଣିବାକୁ ବିଜେପି ଏଭଳି ଅଫର ଦେଉଛି । ଗୋଟିଏ ମୋବାଇଲ ନମ୍ବରକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଏଭଳି ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ଏହା ପରଠୁ ଦିଲ୍ଲୀ ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ଘୋଡା ବେପାର ଅଭିଯୋଗକୁ ନେଇ ଆଜି ଦିନ ତମାମ ଉଠିଛି ପଡିଛି ରାଜଧାନୀ ରାଜନୀତି ।
ସେପଟେ ଅଭିଯୋଗକୁ ଭିତିହୀନ ବିଜେପି ଉପରାଜ୍ୟପାଳ ବିନୟ ସକସେନାଙ୍କୁ ଚିଠି ଲେଖିଛି । ସବୁଠୁ ବଡ କଥା ହେଉଛି ଘଣ୍ଟାକ ମଧ୍ୟରେ ଅଭିଯୋଗର ଆଣ୍ଟି କରପସନ ବ୍ୟୁରୋକୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ । ସୂଚନା ଅନୁସାରେ ଏସିବି ଟିମ କେଜ୍ରିୱାଲ, ସଂଜୟ ସିଂ ଓ ମୁକେଶ ଅହଲାବତଙ୍କ ଘରେ ପହଁଚି ବୟାନ ରେକର୍ଡ କରିଛି । ସେପଟେ ବିନା ନୋଟିସ ବାସଭବନରେ କେମିତି ଏସିବି ଟିମ ପହଁଚିଛି ବୋଲି ଆପ ପ୍ରଶ୍ନ କରିଛି ।
ବୁଥବାହୁଡାମତ ବିଜେପିର ମନବଳକୁ ବଢ଼ାଇଛି । ସେପଟେ ଆପ ଦାବି କରୁଛି ଯେ ଦଳର ୧୬ଜଣ ପ୍ରାର୍ଥୀଙ୍କୁ ପଦ ଏବଂ ଦଳ ପରିବର୍ତ୍ତନ ପାଇଁ ବିଜେପି ପକ୍ଷରୁ ୧୫ କୋଟି ଟଙ୍କାର ପ୍ରସ୍ତାବ ମିଳିଛି। ଆପ ଛାଡି ତାଙ୍କ ଦଳରେ ଯୋଗଦେଲେ ୧୫ କୋଟି ଟଙ୍କା ସହିତ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଯଦି ନଜର ପକାଇବା ଅପରେସନ ଲୋଟୋସର ଇତିହାସ ଉପରେ ତେବେ କର୍ଣ୍ଣାଟକ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ଛତିଶଗଡରେ ମଧ୍ୟ ଅପରେସନ ଲୋଟୋସ ଦେଖିବାକୁ ମିଳିଛି । ଛକାଫଝା ଭିତରେ ବିଧାୟକଙ୍କୁ ନେଇ ରିସୋର୍ଟରେ ରଖିବା ପରେ ସ୍ଥିତି ସୁଧୁରିଲେ ପାଭିଲିୟନକୁ ଫେରିବା ଘଟଣା କିଛି ନୂଆ ନୁହେଁ । ତେବେ ଦିଲ୍ଲୀ ଫଳାଫଳ ବାହାରିବାକୁ ଦିନଟିଏ ଥିବାବେଳେ ବିଜେପି ଉପରେ ଆପର ଅଭିଯୋଗ ଆଗକୁ କେଉଁ ମୋଡ ନେଉଛି ତାକୁ ଦେଖୀବାକୁ ବାକି ରହିଲା ।