କନକ ବ୍ୟୁରୋ : ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଦେଶର ରାଜଧାନୀରେ ରାଜନୈତିକ ପାରଦ ଉଷ୍ମ ହୋଇଛି । ବିରୋଧୀ ଇଣ୍ଡି ମେଣ୍ଟର ଦୁଇ ସହଯୋଗୀ ଦଳ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ କଳି ଚରମ ସୀମାରେ। କଂଗ୍ରେସ ନେତା ଅଜୟ ମାକେନ୍ ଅରବିନ୍ଦ କେଜ୍ରିୱାଲଙ୍କୁ ରାଷ୍ଟ୍ର ବିରୋଧୀ କହିବା ପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଦଳ ତାଙ୍କ ବିରୋଧରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଯଦି କଂଗ୍ରେସ ଏହା ନକରେ ତେବେ ଆପ ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ହଟାଇବାକୁ ଦାବି କରିବ ବୋଲି ଉଭୟ କହିଛନ୍ତି ।
କଂଗ୍ରେସ ନେତା ଅଜୟ ମାକେନ୍ କହିଥିଲେ ଯେ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ନିଷ୍ପତ୍ତି ଏକ ଭୁଲ, ଏହାକୁ ସଂଶୋଧନ କରିବା ଆବଶ୍ୟକ । କେଜ୍ରିୱାଲଙ୍କ କୌଣସି ନୀତି ଆଦର୍ଶ ନଥିବା ବେଳେ ଏପରି ଜଣେ ବ୍ୟକ୍ତିଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ । ନିଜର ରାଜନୈତିକ ଅଭିଳାଷ ପାଇଁ ସେ ଯେକୌଣସି ସ୍ତରକୁ ଯାଇପାରନ୍ତି ବୋଲି କହିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା । ସେପଟେ ଏହି ଦୁଇ ଦଳର କଳିରେ ଫାଇଦା ଉଠାଇବାକୁ ଆଶା ରଖିଛି ବିଜେପି ।
ଇଣ୍ଡି ମେଣ୍ଟରେ କମୁଛି କଂଗ୍ରେସର ଦବଦବା, ହାତ ଦଳକୁ ବଡ଼ଭାଇ ଭାବେ ମାନିବାକୁ ନାରାଜ ସହଯୋଗୀ ଦଳ। ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ଏବେ କେଜ୍ରିୱାଲଙ୍କ ରଣନୀତି ଆଗରେ କଂଗ୍ରେସର ସ୍ଥିତି ଆଗକୁ ମେଣ୍ଟରେ କଣ ରହୁଛି ଦେଖିବାକୁ ବାକି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)