କନକ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ନୂଆଦିଲ୍ଲୀ ଆସନରୁ ହାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଖାଲି ସେତିକି ନୁହେଁ, ଦିନେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ମଧ୍ୟ ଏଥର ନିର୍ବାଚନ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ତରବିନ୍ଦର ସିଂହ ମାରଓ୍ୱାଙ୍କଠାରୁ ହାରିଯାଇଛନ୍ତି ଦିଲ୍ଲୀର ଏହି ପୂର୍ବ ଉପ-ମୁଖ୍ୟମନ୍ତ୍ରୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ଏବେ ବହୁମତଠାରୁ ବହୁତ ଆଗରେ ଅଛି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି ।
ଆଜି ଭୋଟ୍ ଗଣତି ଆରମ୍ଭ ହେବା ପରଠାରୁ ହିଁ ଦିଲ୍ଲୀରେ ବିଜେପି ଆଗୁଆ ରହିଥିଲା । ଖାସ୍ କରି ମୁସଲିମ୍ ବହୁଳ ଅଞ୍ଚଳରୁ ଭୋଟ୍ ଗୋଟେଇବାରେ ସମର୍ଥ ହେଇଥିଲା ଭାରତୀୟ ଜନତା ପାର୍ଟି । ହେଲେ ଟ୍ରେଣ୍ଡରେ କିନ୍ତୁ ପଛରେ ପଡିଯାଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ପ୍ରଥମରୁ ହିଁ ସେ ପରଭେଶ ବର୍ମାଙ୍କଠାରୁ ପଛରେ ରହିଥିଲେ । ହେଲେ ଏହାପରେ କିଛି ରାଉଣ୍ଡରେ ସେ ଆଗକୁ ଆସିଥିଲେ ବି, ଏହାପରେ ପଛରେ ପଡିଯାଇଥିଲେ ।
ଅନ୍ୟପଟେ ଦିଲ୍ଲୀରେ ବି କେଜ୍ରିଓ୍ୱାଲଙ୍କ ଭଳି ପଛରେ ପଡିଯାଇଛି ଆପ୍ । ମାତ୍ର ୨୨ଟି ଆସନରେ ଆପ୍ ଏବେ ଆଗୁଆ ଥିବାବେଳେ, ବିଜେପି ୪୮ ଆସନରେ ଆଗୁଆ ରହିଛି । ତେବେ ସଦ୍ୟ ସୂଚନା ମୁତାବକ, ଆପର ନେତା କେଜ୍ରିଓ୍ୱାଲ, ମନୀଷ ସିସୋଦିଆ ନିର୍ବାଚନ ହାରିଯାଇଥିଲାବେଳେ, ଅତୀଶି ନିର୍ବାଚନ ଜିତିଛନ୍ତି । ତେବେ ଚର୍ଚ୍ଚା ହେଉଛି, ବିଜେପିକୁ ‘ଦିଲ୍ଲୀ ବାଜିମାତ୍’ କରିବାରେ ସହାୟ ହେଲା କି ମୁସଲିମ୍ ଭୋଟ୍? କାହିଁକି ଦିଲ୍ଲୀର ମୁସଲିମ୍ ବହୁଳ ଅଞ୍ଚଳରେ ବି ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ । ଅଧିକାଂଶ ସମୟରେ ବିଜେପିକୁ ମୁସଲିମ୍ ଭୋଟ୍ ନ ମିଳିବା ନେଇ ଯେଉଁ ପ୍ରଶ୍ନ ଛିଡା ହେଉଥିଲା, ତାକୁ ଦିଲ୍ଲୀ ନିର୍ବାଚନର ଭୁଲ୍ ପ୍ରମାଣିତ କରିଛି ବିଜେପି । ମିଳିଥିବା ସୂଚନା ମୁତାବକ, ଦିଲ୍ଲୀର ମୁସଲିମ୍ ବହୁଳ ସିଟରେ ବି ଆଗରେ ରହିଛନ୍ତି ବିଜେପି ନେତା ।
ସୂଚନାଯୋଗ୍ୟ ଯେ, ଗତ ୨୦୧୩ ମସିହା ପରଠାରୁ ଦିଲ୍ଲୀରେ ଚାଲିଛି ଆପ୍ ସରକାର । ପ୍ରଥମ କେଜ୍ରିଓ୍ୱାଲ ଏବଂ ଏବେ ଅତୀଶ ଏହାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଲଗାତାର ୨୦୧୩ରୁ ୨୦୨୫ ପର୍ୟ୍ୟନ୍ତ ଦିଲ୍ଲୀର ସତ୍ତା ଆମ୍ ଆଦମୀ ପାର୍ଟି ପାଖରେ ରହିଥିଲା । ହେଲେ ଏଥର କିନ୍ତୁ ଆପକୁ ସତ୍ତାରୁ ହଟେଇବା ସହ ଗାଦି ଦଖଲ କରିବାକୁ ଯାଉଛି ବିଜେପି । ଆଉ ଏହି ବିଜେପିର ଏହି ବିଜୟ ପଛରେ ମୋଦୀ-ଶାହାଙ୍କ ରଣନୀତି କାମ କରିଥିବା ଚର୍ଚ୍ଚା ହେଉଛି ।