କନକ ବ୍ୟୁରୋ : ପଞ୍ଜାବର ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ଲକି ଓବରୟଙ୍କୁ ଶୁକ୍ରବାର ସକାଳେ ଜଳନ୍ଧରଠାରେ ଏକ ଗୁରୁଦ୍ବାରା ବାହାରେ ଅତି ଜଘନ୍ୟ ଭାବେ ଗୁଳିକରି ହତ୍ୟା କରାଯାଇଛି । ଗୁଳିକାଣ୍ଡ ମଡେଲ ଟାଉନସ୍ଥିତ ଗୁରଦ୍ବାର ସାହେବଠାରେ ଘଟିଥିଲା। ଅଜ୍ଞାତ ଆତତାୟୀମାନେ ଏକ ସ୍କୁଟରରେ ଆସି ଲକି ଓବରୟଙ୍କ ଉପରକୁ ୧୫ରୁ ୧୬ ରାଉଣ୍ଡ ଗୁଳିଚାଳନା କରିଥିଲେ। ଲକି ତାଙ୍କ ଗାଡ଼ିରେ ବସିଥିବାବେଳେ ୫ଟି ଗୁଳି ତାଙ୍କ ଦେହରେ ବାଜିଥିଲା। ଗୁରୁତର ଅବସ୍ଥାରେ ଲକିଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଲକି ତାଙ୍କ ଗାଡ଼ି ଗୁରୁଦ୍ବାରା ବାହାରେ ପାର୍କିିଂ କରୁଥିବାବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଘଟଣାର ତଦନ୍ତ କରୁଛି । 

Advertisment

ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦେଲେ ଟିପ୍ସ : କହିଲେ, ଟାଇମ୍ ମ୍ୟାନେଜମେଣ୍ଟ ସହ ବ୍ୟାୟାମ ଉପରେ ଫୋକସ କର

ଲକି ଓବରୟଙ୍କ ପତ୍ନୀ ପୌର ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ପଞ୍ଜାବରେ ଦିନ ଦ୍ବିପହରରେ ଏପରି ଭାବେ ହତ୍ୟାକାଣ୍ଡ ଘଟୁଥିବାକୁ ନେଇ ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ ପ୍ରଶାସନରେ ଆଇନକାନୁନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବାଜୱା କହିଛନ୍ତି। ଶାସକ ଦଳର ନେତା ଯେଉଁଠି ସୁରକ୍ଷିତ ନାହାନ୍ତି, ଜନସାଧାରଣ କ’ଣ ଆଶା ରଖିବେ ବୋଲି କହିଛନ୍ତି। ବିଜେପି ଜାତୀୟ ପ୍ରବକ୍ତା ଶେହଜାଦ ପୁନାୱାଲା କହିଛନ୍ତି, ପଞ୍ଜାବରେ ଆଇନକାନୁନ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି ।

ଆପ୍‌ ପଞ୍ଜାବ ପାଇଁ ପାପରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ଶିରୋମଣି ଅକାଳି ଦଳ ନେତା ବିକ୍ରମ ସିଂହ ମାଝେଥିଆ ରାଜ୍ୟରେ ଆଇନକାନୁନ ବ୍ୟବସ୍ଥା ବିଗିଡ଼ି ଯାଇଥିବା କହିଛନ୍ତି। ପୁଲିସ ହତ୍ୟାକାଣ୍ଡର ତଦନ୍ତ କରୁଥିବା ସମୟରେ ବ୍ୟକ୍ତିଗତ କିମ୍ବା ରାଜନୈତିକ ଶତ୍ରୁତା ଯୋଗୁଁ ଲକିଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି କହିଛି। ଆପ୍‌ ନେତା ଓ କର୍ମୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ସେମାନେ ଦାବି କରିଛନ୍ତି।