କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟି ବଡ଼ ନିଷ୍ପତ୍ତି ନେଇଛି । ଏହି କ୍ରମରେ କିଛି ରାଜ୍ୟର ପ୍ରଭାବୀ ଓ ମୁଖ୍ୟ ପଦବୀ ଅଦଳ ବଦଳ ହୋଇଛି । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଦାୟିତ୍ୱ ସୌରଭ ଭରଦ୍ୱାଜଙ୍କୁ ଦିଆଯାଇଥିବା ବେଳେ ଦିଲ୍ଲୀରେ ପାର୍ଟିର ମୁଖ୍ୟ ଥିବା ଗୋପାଳ ରାୟଙ୍କୁ ଗୁଜରାଟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଆମ୍ ଆଦମୀ ପାର୍ଟିର ରାଜନୈତିକ ମାମଲା ସମିତି (ପିଏସି) ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୪ ରାଜ୍ୟର ପ୍ରଭାରୀ ଓ ଦୁଇ ରାଜ୍ୟର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।
ଏହି କ୍ରମରେ ମନୀଷ ସିସୋଦିଆଙ୍କୁ ପଞ୍ଜାବର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଗୁଜରାଟ ପାଇଁ ଗୋପାଳ ରାୟଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦୁର୍ଗେଶ ପାଠକଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ପଞ୍ଜାବ ପାଇଁ ମନୀଷ ସିସୋଦିଆଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଗୋଆ ପାଇଁ ପଙ୍କଜ ଗୁପ୍ତାଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ଦୀପକ ସିଂଗଲ, ଆଭାଷ ଚନ୍ଦେଲା ଓ ଅଂକୁଶ ନାରଙ୍ଗଙ୍କୁ ସହ ପ୍ରଭାରୀ ପଦ ମିଳିଛି । ଛତିଶଗଡ ପାଇଁ ସନ୍ଦୀପ ପାଠକଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ମେହରାଜ ମଲିକଙ୍କୁ ଜମ୍ମୁ-କାଶ୍ମୀର ଆମ୍ ଆଦମୀ ପାର୍ଟିର ଅଧ୍ୟକ୍ଷ ପଦ ମିଳିଛି ।