କନକ ବ୍ୟୁରୋ: କେଜ୍ରିଓ୍ୱାଲଙ୍କୁ ଦିଆଯାଉ ସରକାରୀ ଘର । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସରକାରୀ ଆବାସ ଦେବାକୁ ଦାବି କରିଛନ୍ତି ଆପ୍ ନେତା ରାଘବ ଚଡ୍ଡା । ନିର୍ବାଚନ ଆୟୋଗଙ୍କ ନିୟମର କଥା କହି କେଜ୍ରିଓ୍ୱାଲଙ୍କୁ ତୁରନ୍ତ ସରକାରଙ୍କ ତରଫରୁ ସରକାରୀ ଆବାସ ଯୋଗେଇ ଦେବାକୁ ସେ ଦାବି କରିଛନ୍ତି ।
ରାଘବ ଚଡ୍ଡା କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ନିୟମ ମୁତାବକ ସମସ୍ତ ରାଷ୍ଟ୍ରୀୟ ଦଳକୁ ରାଷ୍ଟ୍ରୀୟ କାର୍ୟ୍ୟାଳୟ ସହିତ ଏହାର ରାଷ୍ଟ୍ରୀୟ ସଂଯୋଜକଙ୍କୁ ମଧ୍ୟ ସରକାରୀ ଆବାସ ଯୋଗାଇ ଦିଆଯାଇଥାଏ । ତେଣୁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଥିବା ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ମଧ୍ୟ ସରକାରୀ ଆବାସ ଦିଆଯାଉ ।
ସୂଚନାଯୋଗ୍ୟ ଯେ, ୨୦୧୩ ଡିସେମ୍ବର ମାସରେ ପ୍ରଥମ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ଆଗରୁ କେଜ୍ରିଓ୍ୱାଲ ଗାଜିଆବାଦର କୌଶାମ୍ବୀରେ ରହୁଥିଲେ । ଏହାପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ସେ ମଧ୍ୟ ଦିଲ୍ଲୀର ତିଲକ ଲେନ୍ ସ୍ଥିତ ଘରେ ରହୁଥିଲେ । ଏହାପରେ ୨୦୧୫ରେ ବିଧାନସଭା ନିର୍ବାଚନ ଜିତିବା ପରେ କେଜ୍ରିଓ୍ୱାଲ୍ ଉତ୍ତର ଦିଲ୍ଲୀ ସ୍ଥିତ ସିଭିଲ୍ ଲାଇନ୍ସ ଅଞ୍ଚଳକୁ ଆସିଥିଲେ ।
ଜାଣିରଖିବା ଉଚିତ୍ ଯେ, ଅରବିନ୍ଦ କେଜ୍ରିଓ୍ୱାଲ ସେପ୍ଟେମ୍ବର ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆମ୍ ଆଦମୀ ପାର୍ଟିର ବିଧାୟକ ଦଳ କେଜ୍ରିଓ୍ୱାଲଙ୍କ ଇସ୍ତଫା ପରେ ଅତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି । ଆସନ୍ତା ୨୧ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅର୍ଥାତ କାଲି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅତିଶୀ ଶପଥ ନେବେ ।