କନକ ବ୍ୟୁରୋ : ଦିଲ୍ଲୀରେ ବିଧାନସଭା ନିର୍ବାଚନ ସରିବା ପରେ ଏବେ ଏମସିଡି ମେୟର ପଦକୁ ନେଇ ରାଜନୀତି ସରଗରମ ହୋଇଛି । ଆମ୍ ଆଦମୀ ପାର୍ଟିର ୩ ପାର୍ଷଦ ଏବେ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହାପରେ ଏମସିଡି ସମିକରଣ ବଦଳିଯାଇଛି । ଯଦି ସଂଖ୍ୟା ଗଣିତକୁ ହିସାବ କରାଯିବ ତେବେ ଦିଲ୍ଲୀ ନଗର ନିଗମର ମୋଟ ୨୫୦ ପାର୍ଷଦ । ୨୦୨୨ ରେ ହୋଇଥିବା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୩୪ ପାର୍ଷଦ ବିଜୟୀ ହୋଇଥିଲେ ଓ ବିଜେପିରୁ ୧୦୪ । ଏହା ପରେ କିଛି କାଉନସିଲର ଏପଟ ସେପଟ ହୋଇଥିଲେ । ଏହାପରେ ବିଜେପି ପାଖରେ ୧୨୦ କାଉନସିଲର ଅଛନ୍ତି ଓ ଆପ୍ ପାଖରେ ୧୨୪ । ଏବେ ଆମ୍ ଆଦମୀ ପାର୍ଟିର ୩ ଜଣ କାଉନସିଲର ପାର୍ଟି ବଦଳାଇବା ପରେ ପୁରା ସମିକରଣ ବଦଳିଯାଇଛି । ଏବେ ଆମ୍ ଆଦମୀ ପାର୍ଟି ପାଖରେ ୧୨୧ କାଉନସିଲର ରହିଲେ । ସେପଟେ ଚଳିତ ନିର୍ବାଚନରେ ବିଜେପିର ୮ ଜଣ କାଉନସିଲର ବିଧାୟକ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିବା ବେଳେ ଆମ୍ ଆଦମୀ ପାର୍ଟିର ୩ ଜଣ କାଉନସିଲର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏମସିଡିର ୧୪ ମନୋନିତ ସଦସ୍ୟଙ୍କ ମଧ୍ୟରୁ ଏବେ ବିଜେପିର ୧୦ ଓ ଆମ୍ ଆଦମୀ ପାର୍ଟି ୪ ଜଣ ରହିବେ ।