ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରୁ ଏକ ଖବର ସାମ୍ନାକୁ ଆସିଛି ଯାହା ପୁଲିସ ଓ ଆଇନ ପ୍ରବର୍ତ୍ତନକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯେଉଁ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପିତାମାତା ବିରୋଧରେ ଏଫ୍‌ଆଇଆର୍ ଦାୟର କରାଯାଇ ବିଚାର ଜାରି ରହିଥିଲା, ସେ ରାଜସ୍ଥାନରେ ବୁଲୁଥିବା ନଜର ଆସିଥିଲେ। ସେ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ ଏକ ନୂଆ ଘର ସ୍ଥାପନ କରିଥିଲେ। କିନ୍ତୁ ଏକ ଡିଜିଟାଲ ମେସେଜ୍ ମୃତ ମହିଳାଙ୍କୁ ଜୀବତ କରି ଦେଇଥିଲା।

Advertisment

ଏହି ମାମଲାଟି ବସ୍ତି ଜିଲ୍ଲାର କପ୍ତାନଗଞ୍ଜ ଥାନା ଅଞ୍ଚଳର ପିଲଖାଭ ଗାଁର। ଗାଁର ବାସିନ୍ଦା ସନ୍ଦୀପ ୧୪ ‌ମେ ୨୦୧୭ରେ ପ୍ରିୟଙ୍କାଙ୍କୁ ବିବାହ କରିଥିଲେ। ପ୍ରାୟ ସାତ ବର୍ଷ ଧରି ସେମାନଙ୍କ ବିବାହ ସ୍ୱାଭାବିକ ଥିଲା। ସେମାନଙ୍କର ଏକ ପୁଅ ମଧ୍ୟ ହୋଇଥିଲା। କିନ୍ତୁ, ସମୟ ସହିତ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଲା ଓ ଦମ୍ପତିଙ୍କ ମଧ୍ୟରେ ବିବାଦ ବାରମ୍ବାର ହେବାକୁ ଲାଗିଲା। ୧ ଜୁଲାଇ ୨୦୨୪ରେ ବିବାଦ ଏତେ ବଢ଼ିଗଲା ଯେ ପ୍ରିୟଙ୍କା ଘରୁ ବାହାରି ତାଙ୍କ ଅଳଙ୍କାର ଓ  ପୁଅ ସହିତ  ବାପାମାଆଙ୍କ ଘରକୁ ଚାଲିଗଲେ। ଏହା ପରେ, ସେ ଓ ତାଙ୍କ ପୁଅ ରହସ୍ୟମୟ ଭାବରେ ନିଖୋଜ ହୋଇଗଲେ।

ସରଯୁ ନଦୀ କୂଳରେ ଆତ୍ମହତ୍ୟା ଉଦ୍ୟମ

ପ୍ରିୟଙ୍କା ତାଙ୍କ ପୁଅ ସହିତ ଅଯୋଧ୍ୟାରେ ଆତ୍ମହତ୍ୟା କରିବାକୁ ପହଞ୍ଚିଥିଲେ। ସେ ସରଯୁ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ତେବେ ରାଜସ୍ଥାନରୁ  ଆସିଥିବା ମଙ୍ଗଳଚନ୍ଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ ଦେଖିଲେ। ମଙ୍ଗଳଚନ୍ଦ୍ର  ପ୍ରିୟଙ୍କାଙ୍କ ଜୀବନ ରକ୍ଷା କରି ତାଙ୍କୁ ଆତ୍ମହତ୍ୟା କରିବାର ଉଦ୍ଦେଶ୍ୟ ପରିତ୍ୟାଗ କରିବାକୁ ରାଜି କରାଇଥିଲେ। ତା’ପରେ ପ୍ରିୟଙ୍କା ମଙ୍ଗଳଚନ୍ଦ୍ରଙ୍କ ସହିତ ରାଜସ୍ଥାନକୁ ଚାଲିଯାଇଲେ। ସେଠାରେ ସେମାନେ ସ୍ୱାମୀ-ସ୍ତ୍ରୀ ଭାବରେ ଲିଭ୍-ଇନ୍ ସମ୍ପର୍କରେ ରହିବା ଆରମ୍ଭ କରିଥିଲେ।

କୋର୍ଟଙ୍କ ନିର୍ଦ୍ଦେଶରେ ହତ୍ୟା ଏଫଆଇଆର ରୁଜୁ ହୋଇଥିଲା

ବସ୍ତିରେ , ସନ୍ଦୀପ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ବହୁ ଖୋଜାଖୋଜି କରିଥିଲେ। ସେ ସନ୍ଦେହ କରିଥିଲେ ଯେ, ତାଙ୍କ ଶ୍ୱଶୁର ଘର ଲୋକେ ପ୍ରିୟଙ୍କା ଓ ପିଲାକୁ ସେମାନଙ୍କ ଅଳଙ୍କାର ପାଇଁ ହତ୍ୟା କରି ମୃତଦେହକୁ  ଫିଙ୍ଗି ଦେଇଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଅଣଦେଖା କରିବାରୁ, ସନ୍ଦୀପ କୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ୪ ନଭେମ୍ବର  ୨୦୨୪ରେ ପ୍ରିୟଙ୍କାଙ୍କ ବାପାମାଆ, ଭାଇ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏକ ଗୁରୁତର ହତ୍ୟା ମାମଲା ରୁଜୁ କରାଯାଇଥିଲା।

ଆଧାର କାର୍ଡ ଠିକଣା ଅପଡେଟ୍ ଓଟିପି କଲା ପର୍ଦ୍ଦଫାସ୍ 

ପୁଲିସ ପ୍ରାୟ ଦୁଇ ବର୍ଷ ଧରି ମହିଳାଙ୍କୁ ଖୋଜାଖୋଜି କରିଥିଲା, କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇନଥିଲା। ଏହି ସମୟରେ, ରାଜସ୍ଥାନରେ ରହୁଥିବା ପ୍ରିୟଙ୍କା ନିଜ ପରିଚୟ ଲୁଚାଇ ତାଙ୍କର ନୂତନ ଠିକଣା ଅପଡେଟ୍ କରିବା ପାଇଁ ଏକ ଆଧାର କେନ୍ଦ୍ରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ସିଷ୍ଟମରେ ତାଙ୍କର ପୁରୁଣା ଆଧାର ନମ୍ବର ପ୍ରବେଶ କରିବା ମାତ୍ରେ, ତାଙ୍କର ପୂର୍ବ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି ପଠାଯାଇଥିଲା। ସେହି ମୋବାଇଲ୍ ନମ୍ବର ସ୍ବାମୀ ସନ୍ଦୀପଙ୍କ ପାଖରେ ସକ୍ରିୟ ଥିଲା। ଓଟିପି ଦେଖିବା ପରେ, ସନ୍ଦୀପ ପରିସ୍ଥିତି ବୁଝିପାରିଲେ ଓ ତୁରନ୍ତ ପୁଲିସକୁ ଜଣାଇଥିଲେ।

ପୁଅ ବାପାଙ୍କୁ ଚିହ୍ନିବାକୁ ମନା କଲା

ଇଲେକ୍ଟ୍ରୋନିକ୍ ସର୍ଭେଲାନ୍ସ  ବ୍ୟବହାର କରି, ପୁଲିସ ପ୍ରିୟଙ୍କାଙ୍କ ରାଜସ୍ଥାନର ଅବସ୍ଥିତି ଖୋଜି ପାଇଥିଲା । ତାଙ୍କୁ ଉଦ୍ଧାର କରି ବସ୍ତିକୁ ଆଣିଥିଲା। ଯେତେବେଳେ ସନ୍ଦୀପ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ପୁଲିସ ଷ୍ଟେସନରେ ଭେଟିଲେ, ପରିବେଶ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଓ ଭାବପ୍ରବଣ ହୋଇଗଲା। ସନ୍ଦୀପ ପ୍ରିୟଙ୍କାଙ୍କୁ ତାଙ୍କ ସହିତ ରଖିବାକୁ ସିଧାସଳଖ ମନା କରିଦେଲେ। କେବଳ ତାଙ୍କ ପୁଅର ହେପାଜତ ପାଇଁ ଅନୁରୋଧ କରିଥିଲେ।

କିନ୍ତୁ କାହାଣୀରେ ସବୁଠାରୁ ବଡ଼ ମୋଡ଼ ସେତେବେଳେ ଆସି୍‌ଥିଲା ଯେତେବେଳେ ପୁଅ  ସନ୍ଦୀପଙ୍କ ସହିତ ଯିବାକୁ ମନା କରି ତାଙ୍କୁ ପିତା ଭାବରେ ସ୍ୱୀକାର କରିନଥିଲେ। ଏଏସ୍‌ପି ଶ୍ୟାମକାନ୍ତଙ୍କ ଅନୁଯାୟୀ, ମହିଳା ଜଣକ ଜୀବିତ ମିଳିବା ପରେ, କୋର୍ଟରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା ଓ ପିଲାଟିର ହେପାଜତ ସୁରକ୍ଷିତ କରିବା ପାଇଁ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।