ପାଠପଢ଼ାରେ ଆଧାର ବାଧା Photograph: (KanakNews )
କନକ ବ୍ୟୁରୋ: ଆଧାର କାର୍ଡ ନଥିଲେ ପାଠପଢାରୁ ବଞ୍ଚିତ ହେବେ ହଜାର ହଜାର ଛାତ୍ରଛାତ୍ରୀ । ଆଧାର କାର୍ଡ ଦାଖଲ ନକଲେ ଛାତ୍ରଛାତ୍ରୀ ପାଇବେ ନାହିଁ ସାର୍ଟିଫିକେଟ । ବିଦ୍ୟାଳୟରେ ଆପାର ଆଇଡି ପ୍ରକ୍ରିୟା ଆରମ୍ଭ ହେବାରୁ ଦ୍ୱନ୍ଦରେ ପଡିଲେଣି ଛାତ୍ରଛାତ୍ରୀ ଓ ଅଭିଭାବକ । ସମସ୍ତ ଛାତ୍ରଛାତ୍ରୀଙ୍କର ପରିଚୟ ପତ୍ର ମାଗିଲେଣି ସ୍କୁଲ କର୍ତ୍ତୃପକ୍ଷ । ପରିଚୟ ପତ୍ର ଦାଖଲ ନକଲେ ଆଗକୁ ସରକାରୀ ସୁବିଧା ବି ମିଳିନପାରେ ବୋଲି ପରୋକ୍ଷରେ ଜଣାଇଦେଲେଣି ସ୍କୁଲ କର୍ତ୍ତୃପକ୍ଷ ।
କୁନି କଣ୍ଠରେ ଆକୁଳ ନିବେଦନ। ଅନ୍ୟମାନଙ୍କ ଭଳି ପାଠ ପଢିବାକୁ ଚାହେଁ ସିନି। ସବୁଦିନ ସ୍କୁଲ ଆସିବାକୁ ଚାହେଁ। କିନ୍ତୁ ସ୍କୁଲରେ ମାଗିଲେଣି ଆଧାର କାର୍ଡ। ଦାଖଲ ନକଲେ ହୁଏତ ସବୁଦିନ ପାଇଁ ସିନିଙ୍କ ପାଇଁ ସ୍କୁଲର ଫାଟକ ବନ୍ଦ ହୋଇଯିବ। ଅନେକ ବର୍ଷ ହେବ ବାପା, ମାଙ୍କୁ ହରାଇ ସାରିଛି ସିନି । ଏବେ ସମ୍ପର୍କୀୟଙ୍କ ସହ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ରହୁଛି। ପରିଚୟ ପ୍ରମାଣ ଦେବା ପାଇଁ ପାଖରେ ନାହିଁ ଆଧାର କାର୍ଡ।
ନୂଆ ସରକାରୀ ବ୍ୟବସ୍ଥା ଅନୁଯାୟୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆପାର ଆଇଡିରେ ପଞ୍ଜିକରଣ କରିବାକୁ ପଡିବ। ଏଥିପାଇଁ ଆବଶ୍ୟକ ପଡିଛି ଆଧାର କାର୍ଡ। ସିନିଙ୍କ ଭଳି ମୀନତି ପୂର୍ତ୍ତି ଓ ମୀନତି ହାଙ୍ଗରାଇଙ୍କର ବି ସମାନ ଅବସ୍ଥା । ଉଭୟଙ୍କ ପାଖରେ ଆଧାର କାର୍ଡ ଅଛି କିନ୍ତୁ ସେଥିରେ ଅନେକ ଭୁଲ। ସଂଶୋଧନ କରିବାକୁ ଅନେକ ଚେଷ୍ଟା କଲେ ବି ହୋଇପାରୁନାହିଁ ।
ଶିକ୍ଷା ଅଧିକାର ଆଇନ ବଳରେ ୬ ବର୍ଷରୁ ୧୪ ବର୍ଷର ପିଲାମାନେ ପାଠ ପଢାରୁ ବଞ୍ଚିତ ହେବେନାହିଁ। ଆଉ ଏବେ ଲାଗୁ ହେବାକୁ ଯାଉଛି ଆପାର ଆଇଡି ବ୍ୟବସ୍ଥା। ଏହି ବ୍ୟବସ୍ଥାରେ ସମସ୍ତ ଛାତ୍ରଛାତ୍ରୀ ନିଜର ପରିଚୟ ପତ୍ର ଦେବେ । ନକଲି ଛାତ୍ରଛାତ୍ରୀ ଚିହ୍ନଟ ସହ ଛାତ୍ରଛାତ୍ରୀଙ୍କ ଏକାଡେମିକ ରେକର୍ଡ ରଖିବା ପାଇଁ ଆପାର ଆଇଡିର ବ୍ୟବସ୍ଥା କରାଯାଇଛି।
ବିଡମ୍ବନାର କଥା, ଏବେ ବି ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ନିଜର ପରିଚୟ ପତ୍ର। ବିଶେଷକରି ସ୍ଥାୟୀ ଠିକଣା ନଥିବା ପରିବାରର ପିଲାଙ୍କ ପାଖରେ ନାହିଁ ପରିଚୟ ପତ୍ର। ଗୋଟିଏ ପଟେ ଡ୍ରପଆଉଟକୁ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ, ଏହି ନୂଆ ବ୍ୟବସ୍ଥାରେ ଡ୍ରପଆଉଟଙ୍କ ସଂଖ୍ୟା ବଢିଯିବ ବୋଲି ଅନେକ ଆଶଙ୍କା କଲେଣି।
Follow Us