କନକ ବ୍ୟୁରୋ : ରାସନ ନେବାକୁ ହେଲେ ଆଧାର କାର୍ଡ ଦରକାର । ଆଧାର ନଥିଲେ ମିଳିବ ନାହିଁ ରାସନ । ଗତ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚାକୁ ନେଇ ଛାନିଆରେ ରାସନ ହିତାଧିକୀରୀ । ଏଥିପାଇଁ ଆଧାର କେନ୍ଦ୍ର ବାହାରେ ଏବେ ଜମୁଛି ଲୋକଙ୍କ ଗହଳି । କେବଳ ଏତିକି ନୁହଁ ରାସନ କାର୍ଡରୁ ନାଁ କଟିଯିବା ଭୟରେ ପ୍ରବାସୀ ଓଡିଆ ବି ଗାଁ ମୁହାଁ  ହେଲେଣି ।  କିନ୍ତୁ ଆଧାର କାର୍ଡ ଯେବେ ବାଧ୍ୟତାମୂଳକ ନୁହଁ ତେବେ ରାସନ ପାଇବା ପାଇଁ ଦାରକୁ ସରକାର କିଭଳି ବାଧ୍ୟତାମୂଳକ କଲେ ସେନେଇ ନୂଆ ବିବାଦ ଛିଡା ହୋଇଛି । 

Advertisment

ଆଧାର କେନ୍ଦ୍ର ବାହାରେ ଲାଗୁଛି ଲମ୍ୱା ଧାଡି । ଜନ ସେବା କେନ୍ଦ୍ରରେବି  ପ୍ରବଳ ଭିଡ ।  ଏହି ଭିଡ ହେଉଛି ବାୟୋମେଟ୍ରିକ ପାଇଁ । ରାସନ ନେବା ପୂର୍ବରୁ ଇକେଓ୍ୱାଇସି ବାଧ୍ୟତାମୂଳକ । ଇକେଓ୍ବାଇସି ନହେଲେ ରାସନ ପାଇବାରୁ ବଞ୍ଚିତ ହୋଇପାରନ୍ତି ହିତାଧିକାରୀ । ଏହାକୁ ନେଇ ଚିନ୍ତାରେ ଅଛନ୍ତି ଲକ୍ଷାଧିକ ଲୋକ ।  ଆଧାର କାର୍ଡ ସହିତ ଅନେକଙ୍କର ବାୟୋମେଟ୍ରିକ ସଂଯୋଗ ହୋଇନଥିବାରୁ ରାସନ କାର୍ଡରୁ ନାଁ ହଟିଯିବା ଭୟ ଘାରିଛି । ଏପଟେ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ମନେ ପକାଇଦେଇ ସରକାରଙ୍କୁ ଅକଳରେ ପକାଇଛନ୍ତି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା । ୧୩ ଅପ୍ରେଲ ୨୦୨୨ରେ ଏକ ଜନସ୍ବାର୍ଥ ମାମଲା ଶୁଣାଣୀବେଳେ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଆଧାର କାର୍ଡ ନଥିବା ବ୍ୟକ୍ତିଙ୍କୁ ରାସନରୁ ବଞ୍ଚିତ କରାଯାଇପାରିବ ନାହିଁ । ଏମିତି ସ୍ଥିତିରେ ଆଧାରକୁ ରାସନ ପାଇବାର ମାପକାଠି କରିବାକୁ ସରକାର କିଏ ବୋଲି ପ୍ରଶ୍ନ କରିଛନ୍ତି ପ୍ରଫୁଲ୍ଲ ସାମନ୍ତରା । 

ରାଜ୍ୟରେ ଆଧାର କାର୍ଡ ନଥିବା ୧ଲକ୍ଷ ୪୭ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଯୋଗାଇଦିଆଯାଉଥିବା ୨୦୨୨ରେ ପୂର୍ବ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଏତିକିରେ ଏହି ସଂଖ୍ୟା ସୀମିତ ନାହିଁ । ଏବେବି ଅନେକ ଲୋକଙ୍କ ପାଖରେ ନାହିଁ ଆଧାର କାର୍ଡ । ବିଶେଷ କରି ଛୋଟ ପିଲାଙ୍କର ଆଧାରରେ ବାୟୋମେଟ୍ରିକ ସଂଯୋଗ ହୋଇପାରିନି। ଅନେକ ହିତାଧିକାରୀଙ୍କର ବୟସ ବଢିବା ସହ ଟିପ ଚିହ୍ନ ପରିବର୍ତ୍ତନ ହୋଇଚାଲିଛି । ଏହି ବର୍ଗ ବ୍ୟକ୍ତିଙ୍କର ବାୟୋମେଟ୍ରିକ ପୂର୍ବ ବାୟୋମେଟ୍ରିକ ସହ ମେଳ ଖାଉନି। ଏଣୁ ଆଧାର ଲିଙ୍କରେ ସମସ୍ୟା ହେଉଛି । ଏମାନେ ବି କଣ ରାସନ ଯୋଜନାରୁ ବଞ୍ଚିତ ହେବେ ।  ରାସନ ହିତାଧିକାରୀଙ୍କୁ ବାୟୋମେଟ୍ରିକ ବା ଆଧାର କାର୍ଡ ବାଧ୍ୟତାମୂଳକ କରାନଯାଉ ବୋଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ମାନନ୍ତୁ ବୋଲି କହିଛନ୍ତି ପ୍ରଫୁଲ୍ଲ ସାମନ୍ତରା । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଛନ୍ତି ଚିଠି ।