କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କହିଛନ୍ତି କି, ରାଜ୍ୟରେ ଥିବା ୧୮ ବର୍ଷରୁ ଅଧିକ ବୟସ୍କଙ୍କର ଆଉ ନୂଆ ଆଧାର କାର୍ଡ ପ୍ରସ୍ତୁତ କରାଯିବ ନାହିଁ । ଅର୍ଥାତ ଯଦି ଆପଣଙ୍କୁ ୧୮ ବର୍ଷ ପୂରି ଯାଇଛି ଓ ଆପଣ ଆଧାରକାର୍ଡ ପ୍ରସ୍ତୁତ କରିନାହାଁନ୍ତି ତେବେ ଆପଣ ଆଉ ଆଧାରକାର୍ଡ ପାଇବେ ନାହିଁ । ଏହାସହ ସେ ୧ ମାସ ସମୟ ଦେଇଛନ୍ତି । ଏହି ୧ ମାସ ମଧ୍ୟରେ ଯାହା ପାଖରେ ଆଧାରକାର୍ଡ ନାହିଁ ସେ ବନାଇପାରିବେ । ଏହି ପଦକ୍ଷେପ ରାଜ୍ୟର ସୁରକ୍ଷା ଓ ଭୌଗଳିକ ବାଲାନ୍ସକୁ ନଜରରେ ରଖି ନିଆଯାଇଥିବା ସେ କହିଛନ୍ତି ।
ଦୀର୍ଘବର୍ଷ ହେବ ଆସାମ ଅନୁପ୍ରବେଶକାରୀ ସମସ୍ୟା ଭିତରେ ଗତି କରୁଛି । ମୁଖ୍ୟମନ୍ତ୍ରୀଙ୍କ କହିବା କଥା ଅନେକ ଥର ଅନୁପ୍ରବେଶକାରୀମାନେ ଆଧାରକାର୍ଡକୁ ପରିଚୟପତ୍ର ଭାବେ ବ୍ୟବହାର କରୁଛନ୍ତି । ଏହା ଫଳରେ ୧୮ ବର୍ଷରୁ ଅଧିକ ଅନୁପ୍ରବେଶକାରୀଙ୍କୁ ରୋକିବାରେ ସହଜ ହେବ ।
ହିମନ୍ତ ବିଶ୍ୱଶର୍ମାଙ୍କ ଯୁକ୍ତି ହେଉଛି ଆସାମରେ ଅଧିକାଂଶ ନାଗରିକଙ୍କ ଆଧାରକାର୍ଡ ପୂର୍ବରୁ ବନା ହୋଇଛି । ଏବେ କେବଳ କିଛି କିଛି ନାଗରିକଙ୍କ ନୂଆ ଆଧାର ବନାଯିବା । ଯେଉଁମାନଙ୍କ ପାଖରେ ଆଧାରକାର୍ଡ ନାହିଁ ସେମାନେ କେବଳ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ଆଧାରକାର୍ଡ ବନାଇପାରିବେ ।
ହିମନ୍ତ ବିଶ୍ୱଶର୍ମା ସ୍ପଷ୍ଟ କରିଛନ୍ତି କି, ଛୋଟ ପିଲା ଓ କିଛି ବିଶେଷ ବର୍ଗର ଲୋକଙ୍କ ବ୍ୟତୀତ ସେପ୍ଟେମ୍ବର ମାସ ପରେ ଅନ୍ୟ ସମସ୍ତଙ୍କ ପାଇଁ ଆଧାର ପୋର୍ଟାଲ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏସସି ଏସଟି ଓ ଚା' ବଗିଚାରେ କାମ କରୁଥିବା ଶ୍ରମିକଙ୍କୁ କିଛି ରିହାତି ମିଳିବ । ଆଧାରକାର୍ଡ ବନାଇବା ପାଇଁ ସେମାନଙ୍କୁ ଅତିରିକ୍ତ ଗୋଟିଏ ବର୍ଷ ସମୟ ଦିଆଯାଇଛି । ଏହାକୁ ନେଇ ଆସାମ ରାଜନୀତି ବେଶ ସରଗରମ ହୋଇଛି । ବିରୋଧୀ କହିଛନ୍ତି କି, ଏହି ନିଷ୍ପତ୍ତି କେବଳ ସାଧାରଣ ଲୋକଙ୍କୁ ହଇରାଣ କରିବା ଉର୍ଦ୍ଦେଶ୍ୟରେ ନିଆଯାଇଛି ।