କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀର ବଢିପାଣିରେ ଭାସିଗଲେ ଯୁବକ । ସୁବର୍ଣ୍ଣରେଖା ନଦୀ ବନ୍ୟାରେ ଜଳେଶ୍ୱର ନିକଟ କୁହ୍ଲାଚଢ ଗାଁର ମହେଶ୍ୱର ନାମକ ଜଣେ ଯୁବକ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ପରିବା କିଣିବା ପାଇଁ ଆସୁଥିଲା ବେଳେ ଏଭଳି ଘଟିଛି ଅଘଟଣ । ଖବର ପାଇବା ପରେ ଖୋଜିବା ପାଇଁ ଓଡ୍ରାଫ ଟିମ୍ ପହଞ୍ଚିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି ଚାଲିଛି ।
ଅନ୍ୟପଟେ ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ମାଡ଼ରେ ଭୋଗରାଇ ବ୍ଲକ ଖାଳଝରି ପୋଲର ୩ ଗେଟରେ ଫାଟ ସୃଷ୍ଟି ହୋଇଛି । ଫଳରେ ଗାଁ ଭିତରକୁ ପଶିଛି ବନ୍ୟା ପାଣି । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଭୋଗରାଇ ବ୍ଲକ ଖାଳଝରି ସୁଇସ୍ ଗେଟରେ ଫାଟ ଯୋଗୁ ଗାଁ ଭିତରକୁ ପଶୁଛି ପାଣି । ଏହି ପୋଲ ଉପରେ ୧୮ଟି ପଞ୍ଚାୟତ ନିର୍ଭର କରେ । ଯଦି ପୋଲ ଭାଙ୍ଗେ ତାହାଲେ ୧୮ଟି ପଂଚାୟତ ଜଳ ମଗ୍ନ ହୋଇଯିବା ଆଶଙ୍କା ରହିଛି । ବିପୁଳ ପରିମାଣର ବନ୍ୟା ଜଳ ଗାଁକୁ ପ୍ରବେଶ କରୁଥିବା ଦେଖି ଗାଁ ଲୋକ ଛାନିଆ ହୋଇପଡିଛନ୍ତି ।
ପାଣିପାଗ ଅନୁକୂଳ ଥିବାରୁ କମ୍ ଦିନରେ ସ୍ଥିତି ସୁଧୁରିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ । ସୁବର୍ଣ୍ଣରେଖାରେ ବନ୍ୟା ପାଣି ଯୋଗୁଁ ବାଲେଶ୍ୱର ୩ଟି ବ୍ଲକ ସବୁଠୁ ଅଧିକ ପ୍ରଭାବିତ । ବସ୍ତା, ବାଲିଆପାଳ, ଭୋଗରାଇର ତଳିଆ ଅଂଚଳରେ ପାଣି ପଶିଛି । ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଏବେ ୧୧.୫ ମିଟର ଉଚ୍ଚ ପାଣି ପ୍ରବାହିତ ହେଉଛି । ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଇଆଇସି । ଏବେ ସମୁଦ୍ରରେ ପରିସ୍ଥିତି ଅନୁକୂଳ ଥିବାରୁ ପାଣି ଶୀଘ୍ର ଖସି ଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।