କନକ ବ୍ୟୁରୋ : ପୁରୁଣା ସରକାର ପ୍ରଚଳନ କରିଥିବା ସ୍କୁଲ ଡ୍ରେସ ଗୁଡିକର ରଙ୍ଗ ବଦଳିବ । ନୂଆ ସରକାର ନୂଆ ନିଷ୍ପତ୍ତିକୁ ନେଇ ଚିନ୍ତାରେ ଏସଏଚଜି ଗ୍ରୁପ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ସିଲେଇ ଗ୍ରୁପ ସ୍କୁଲ ଡ୍ରେସ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି । ପୂର୍ବ ଅର୍ଡର ଅନୁସାରେ, ପ୍ରାୟ ୬ ଲକ୍ଷ ଟଙ୍କାର ସବୁଜ ରଙ୍ଗର ଡ୍ରେସ ତିଆରି କରିଛନ୍ତି । ସେଗୁଡ଼ିକ ବିକ୍ରି ହୋଇନାହିଁ, ଏପଟେ ଡ୍ରେସର ରଙ୍ଗ ବଦଳାଇବା ନିଷ୍ପତ୍ତି ନେଇଛନ୍ତି ସରକାର । ନୂଆ ନିୟମ ଲାଗୁ ହେଲେ ପୂର୍ବରୁ ତିଆରି ହୋଇଥିବା ପୋଷାକ କ'ଣ ହେବ? ବୋଲି ପ୍ରଶ୍ନ କରିଛନ୍ତି ଏସଏଚଜି ଗ୍ରୁପ ସଦସ୍ୟା ।
ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଅଁଳାବେରେଣୀ ସିଲେଇ ଗ୍ରୁପ ପରିଦର୍ଶନରେ ଆସିଥିବା ବେଳେ ପୁରୁଣା ଡ୍ରେସକୁ କଣ କରିବୁ ପଚାରିଛନ୍ତି ଗ୍ରୁପ ସଦସ୍ୟା । ତିଆରି ଡ୍ରେସକୁ ତୁରନ୍ତ ସରକାରଙ୍କ ତରଫରୁ କିଣାଯାଉ ବୋଲି ଦାବି ହୋଇଛି । ଏବାବଦରେ କିଛି ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।
କିଛି ରୋଜଗାର ଆଶାରେ ଘରର କାମଧନ୍ଦା ସାରି ସ୍କୁଲ ପିଲାଙ୍କ ପାଇଁ ପୋଷାକ ତିଆରି କରିଥିଲେ । ଭାବିଥିଲେ, ସରକାର ଏଗୁଡିକ କିଣିନେଲେ, ହାତକୁ ଦୁଇ ପଇସା ଆସିବ । ହେଲେ ସରକାରଙ୍କ ନିଷ୍ପତ୍ତି ଶୁଣି ମହିଳାଙ୍କ ଆଶା ମଉଳି ଯାଇଛି ।