କନକ ବ୍ୟୁରୋ: ବାବା ସିଦ୍ଦିକିଙ୍କୁ ପ୍ରଥମେ ଧମକ ଓ ପରେ ହତ୍ୟାର ଆତଙ୍କ ମନରୁ ନଲିଭି ଥିବା ବେଳେ ସାମ୍ନାକୁ ଆସିଛି ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକର ସୂଚନା । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ । ହଠାତ୍ ମୁମ୍ବାଇ ପୋଲିସ ଟ୍ରାଫିକ୍ କଣ୍ଟ୍ରୋଲ ନମ୍ବରକୁ ଆସିଲା ଏକ ମେସେଜ୍, ସେଥିରେ ଲେଖାଥିଲା ଯୋଗୀ ଆଦିତ୍ୟନାଥ ଯଦି ୧୦ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦିଅନ୍ତି ତେବେ ବାବା ସିଦ୍ଦିକିଙ୍କ ଭଳି ତାଙ୍କୁ ହତ୍ୟା କରାଯିବ । ଏହି ଖବର ପାଇବା ପରେ ଚଳଚଞ୍ଚଳ ହୋଇଉଠିଥିଲା ମୁମ୍ବାଇ ପୋଲିସ । ସଙ୍ଗେ ସଙ୍ଗେ ୟୁପି ପୋଲିସକୁ ଖବର ଦେଇ ଖୋଳତାଡ ଆରମ୍ଭ କରିଦେଇଥିଲେ । 

Advertisment

ତଦନ୍ତ ପରେ ଜଣାପଡିଥିଲା ଧମକ ଦେଇଥିଲେ ଜଣେ ମହିଳା । ମହିଳା ଜଣଙ୍କ ଉହ୍ଲାସ ନଗରର ଫାତିମା ଖାନ୍ ଜଣା ପଡିବାପରେ ପୋଲିସ ଫାତିମାକୁ ଅଟକ ରଖି ପଚରାଉଚରା କରିଥିଲା । ଫାତିମା ଇନଫରମେସନ୍ ଟେକ୍ନୋଲୋଜିରେ ବିଏସସି କରିଛନ୍ତି । ପୋଲିସର ସୂଚନା ଅନୁସାରେ ଫାତିମା ଉଚ୍ଚଶିକ୍ଷିତ କିନ୍ତୁ ସେ ମାନସିକ ସ୍ତରରେ ଠିକ୍ ନାହାନ୍ତି ଏବଂ ସେ କାହିଁକି ସିଏମ୍ ଯୋଗୀଙ୍କୁ ମାରିବାକୁ ଧମକ ଦେଇଥିଲେ ତାର କିଛି ଉତ୍ତର ରଖିନାହାନ୍ତି । ଅନ୍ୟପଟେ ଧମକ ମିଳିବାପରେ ସିଏମଙ୍କ ସିକ୍ୟୁରିଟିକୁ ଆର୍ଲଟ କରିଦିଆଯାଇଛି । 

ତେବେ ଯୋଗୀଙ୍କୁ ହତ୍ୟା ଧମକ ମିଳିବା ଏହା ପ୍ରଥମଥର ନୁହେଁ । ପୂୂର୍ବରୁ ବହୁଥର ମିଳିଛି ଯୋଗୀଙ୍କୁ ହତ୍ୟା ଧମକ । ନଭେମ୍ବର ମାସ ୨୦୨୦ରେ ୧୧୨ ହ୍ୱାଟ୍ସଆପ୍ ନମ୍ବରକୁ ଯୋଗୀଙ୍କୁ ମାରିବାକୁ ଆସିଥିଲା ଧମକ ଭରା ମେସେଜ୍ । ପୁଣି ଡିସେମ୍ବର ମାସ ୨୦୨୦ରେ ମଧ୍ୟ ସିଧାସଳଖ ମିଳିଥିଲା ହତ୍ୟା ଧମକ । ଏହାପରେ ୨୦୨୧ ଏପ୍ରିଲରେ ଆସିଥିଲା ଆଉଥରେ ଧମକ । ସମାନ ମାସ ବର୍ଷକ ପରେ ୨୦୨୨ରେ ବୋମାରେ ଉଡାଇଦେବାକୁ ମିଳିଥିଲା ଧମକ । ୨୦୨୪ ଜାନୁୟାରୀରେ ଆତଙ୍କବାଦୀ ପନ୍ନୁ ଭଏସ୍ ମେସେଜ ଜରିଆରେ ଦେଇଥିଲେ ହତ୍ୟା ଧମକ । ପୁଣି ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ବୋମାରେ ଉଡାଇଦେବାକୁ ମିଳିଥିଲା ଧମକ । ଏବେ ଦେଖିବାକୁ ବାକି ରହିଲା ବାରମ୍ବାର ମିଳୁଥିବା ହତ୍ୟା ଧମକ ଘଟଣାକୁ ପୋଲିସ କେତେ ଗୁରୁତର ସହ ନେଉଛି ।