କନକ ବ୍ୟୁରୋ :  ବସରେ ମହିଳାଙ୍କ ପ୍ରସବ । ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯିବା ବେଳେ ବସରେ ଜଣେ ମହିଳା କନ୍ୟା ସନ୍ତାନ ଜନ୍ମ କରିଛନ୍ତି । ତେବେ ଏଭଳି ସ୍ଥିତିରେ ଦେବଦୂତ ସାଜିଥିଲେ ବସରେ ଯାତ୍ରା କରୁଥିବା ଦୁଇ ଜଣ ଡାକ୍ତର ଓ ବସର କର୍ମଚାରୀ । ବୁଧବାର ସନ୍ଧ୍ୟାରେ ଗୁଣୁପୁର ଯିବା ସମୟରେ ବସରେ ହିଁ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ବସ କର୍ମଚାରୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଆମ୍ବୁଲାନ୍ସ ମିଳି ନଥିଲା । ଏହି ସମୟରେ ବସରେ ଯାତ୍ରା କରୁଥିବା ଦୁଇ ଜଣ ଡାକ୍ତର ମହିଳାଙ୍କୁ ସୁରକ୍ଷିତ ପ୍ରସବରେ ସହଯୋଗ କରିଥିଲେ । ନିକଟରେ କୌଣସି ଡାକ୍ତରଖାନା ନଥିବା ବେଳେ ବସରେ ହିଁ ମହିଳାଙ୍କ ପ୍ରସବ କରାଇଥିଲେ ଦୁଇ ଡାକ୍ତର । ଏଥିରେ ବସର କର୍ମଚାରୀ ଓ ଯାତ୍ରୀମାନେ ମଧ୍ୟ ମାନବିକତା ଦେଖାଇବା ସହ ପୂର୍ଣ୍ଣ ସହଯୋଗ କରିଥିଲେ । ଏହାପରେ ମହିଳାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ବର୍ତ୍ତମାନ ଉଭୟ ମାଆ ଓ ଶିଶୁକନ୍ୟାର ସ୍ବାସ୍ଥାବସ୍ଥା ଭଲ ଥିବା ଜଣାପଡ଼ିଛି । ଏହି ଘଟଣା ପାଇଁ ପ୍ରସବ କରାଇଥିବା ଦୁଇ ଡାକ୍ତରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । 

Advertisment