କନକବ୍ୟୁରୋ : ଗଂଜାମ ଆସିକା ବ୍ଲକ କୁମ୍ଭାରି ଗାଁ ଶ୍ରୀସାଇରାମ ଏସ୍.ଏଚ.ଜି ମହିଳାଙ୍କ ନିଆରା ଉଦ୍ୟମ। ତନ୍ତରେ ଲୁଗା ବୁଣି ସ୍ବାବଲମ୍ବୀ ହୋଇଛନ୍ତି ମହିଳା । ଏମାନଙ୍କୁ ପ୍ରଥମେ ବ୍ଲକ ତରଫରୁ ଲୁଗା ବୁଣିବାର ପ୍ରଶିକ୍ଷଣ ଦିଆଯାଇଥିଲା । ଏହା ପରେ ଲୁଗା ବୁଣିବା, ସୁତା କାଟିବା ଭଳି କାମ ପାଇଁ ଆବଶ୍ୟକ ହେଉଥିବା କାଠ ତିଆରି ମେସିନ କିଣି ଲୁଗା ବୁଣିବା କାମ ଆରମ୍ଭ କଲେ ମହିଳା ।
ପରେ ବ୍ରହ୍ମପୁରରୁ ସୁତା କିଣି ସୁତାରେ ମଣ୍ଡ ଦେଇ ସୁଖାଇ ଲୁଗା ତିଆରି କଲେ । ଏବେ ଏହି ଗୃପ ପାଖରେ ଲୁଗା ବୁଣିବାର ତିନୋଟି ମେସିନ ରହିଛି । ତିନୋଟି ମସିନ ସାହାଯ୍ୟରେ ସେମାନେ ୧୦ଟାରୁ ଆସି ୪ଟା ଭିତରେ ୪ରୁ ୫ଟି ଲୁଗା ବୁଣିପାରୁଛନ୍ତି । ବଜାରରେ ମଧ୍ୟ ଲୁଗାର ଚାହିଦା ଭଲ ରହିଛି । ଲୁଗା ଗୋଟାକୁ ମାର୍କେଟରେ ୬୦୦ ରୁ ୭୦୦ ଟଙ୍କାରେ ବିକ୍ରି କରୁଛନ୍ତି ମହିଳା ।
ତେଣୁ ଦୈନିକ ୩୫୦୦ ପର୍ଯ୍ୟନ୍ତ ଏମାନଙ୍କ ରୋଜଗାର ହୋଇପାରୁଛି । ୨୦୨୦ରୁ ୧୦ ଜଣ ମହିଳା ମିଶି ଏସଏଚଜି ଗଠନ କରିଛନ୍ତି । ପ୍ରଥମେ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ରୁଣ ଆଣି ଲୁଗା ତିଆରି ଆରମ୍ଭ କରିଥିଲେ । ରୁଣ ପରିଶୋଧ କରିବା ପରେ ପୁଣି ୨ ଲକ୍ଷ ଟଙ୍କା ଆଣିଥିଲେ । ଦୁଇ ଥର ଆଣିଥିବା ରୁଣଟଙ୍କାକୁ ବ୍ୟବହାର କରି ଯେଉଁ ଲାଭ ମିଳିଛି ସେହି ଟଙ୍କାରେ ଲୁଗା ତିଆରି କରିବାର ସମସ୍ତ ସାମଗ୍ରି କିଣି ବ୍ୟବସାୟକୁ ଆଗକୁ ବଢାଇଛନ୍ତି ମହିଳା । ଏବେ ଧିରେ ଧିରେ ମହିଳାଙ୍କ ବ୍ୟବସାୟ ବଢିଛି ।
କଂଚାମାଲ୍ ପାଇଁ ଟଙ୍କା ଓ ବ୍ୟାଙ୍କ ରୁଣ ପରିଶୋଧ ପାଇଁ ଟଙ୍କା ବାହାର କରିବା ପରେ ଯେଉଁ ଲାଭାଂଶ ମିଳେ ତାହାକୁ ପରସ୍ପର ମଧ୍ୟରେ ଭାଗକରି ନିଅନ୍ତି । ଯେଉଁ ସମୟରେ ମହିଳା ମାନେ ଘରେ ବସି ରହୁଥିଲେ ସେହି ସମୟକୁ ଏବେ ସଦୁପଯୋଗ କରି କିଛି ଅର୍ଥ ରୋଜଗାର କରିପାରୁଛନ୍ତି । ଘରର ଛୋଟ ଛୋଟ ଖର୍ଚ ପାଇଁ ଏମାନଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡୁନାହିଁ । ପୁଣି ଆଗକୁ ଆହୁରି ମସିନ୍ କିଣି ଅଧିକ ଲୁଗା ବୁଣି ଆଧିକ ରୋଜଗାର କରିବା ପାଇଁ ମହିଳା ଗୃପ ଆଶା ରଖିଛନ୍ତି ।