କନକ ବ୍ୟୁରୋ : ରାୟଗଡା ଜିଲ୍ଲା ପଦ୍ମପୁର ଗାଁରେ ବିଭିନ୍ନ ସମ୍ପ୍ରଦାୟ ସହ ଶଙ୍ଖାରି ସମ୍ପ୍ରଦାୟର ଲୋକ ମଧ୍ୟ ବସବାସ କରନ୍ତି । ଲାଖରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ଦିନେ ଏହି ଶଙ୍ଖାରି ସମ୍ପ୍ରଦାୟର ମହିଳାଙ୍କ କୌଳିକ ବୃତି ଥିଲା । ଆଧୁନିକତାର ଛାପରେ କୌଳିକ ବୃତି ଦୂରେଇ ଯାଉଥିବା ବେଳେ ପଦ୍ମପୁର ଗାଁର ଏସଏଚଜି ମହିଳାମାନେ ଲାଖରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ଥାନୀୟ ଅଂଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ଗାଁର ମା ସରସ୍ୱତୀ, ମା ଗାୟତ୍ରୀ ଓ ଜୟ ବଜରଙ୍ଗବାଲି ନାମକ ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ର ହୋଇ ଆରମ୍ଭ କରିଛନ୍ତି “ ମା’ ଭଗବତୀ ଉତ୍ପାଦକ ଗୋଷ୍ଠୀ । ୩୦ ଜଣ ମହିଳାଙ୍କୁ ନେଇ ଗଠିତ ହୋଇଥିବା ଏହି ଉତ୍ପାଦକ ଗୋଷ୍ଠୀର ମହିଳାମାନେ ଲାଖର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିଭିନ୍ନ ମେଳା ମହୋତ୍ସବରେ ବିକ୍ରୀ କରୁଛନ୍ତି । ପରିବାର ପ୍ରତିପୋଷଣ କରିବା ସହ ନିଜର କୌଳିକ ବୃତିକୁ ବଂଚାଇବାରେ ମଧ୍ୟ ସକ୍ଷମ ହୋଇ ପାରିଛନ୍ତି  । 

Advertisment

ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ମିଶନ ଶକ୍ତି ଗୃହରେ ପ୍ରତିଦିନ ୨ ରୁ ୩ ଘଂଟା ସମୟ ଦେଇ ଏହି ଲାଖରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରନ୍ତି ମହିଳାମାନେ । କିଏ ଲାଖ ପ୍ରସ୍ତୁତ କରୁଥିବା ବେଳେ ଆଉ କିଏ ସେଥିରେ ରଙ୍ଗ ବୋଳି ଥାଏ । ପୁଣି ଆଉ କିଏ ଲାଖରେ ତିଆରି ହୋଇଥିବା ସାମଗ୍ରୀ ଉପରେ ଚିତ୍ର ଆଙ୍କି ଥାଆନ୍ତି ।  ଘରକରଣା ସାଜସଜ୍ଜା ଜିନିଷ ଠାରୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତି, କୁମ୍ଭ, କଳସ, ଚୁଡ଼ି ଓ ମାର୍ଗଶିର ମାସରେ ବ୍ୟବହୃତ ପେଡ଼ି ଇତ୍ୟାଦି ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି ଗୋଷ୍ଠୀର ମହିଳାମାନେ  । ପୂର୍ବରୁ ଗୋଷ୍ଠୀର ସଦସ୍ୟା ମାନେ ସ୍ଥାନୀୟ ଅଂଚଳରୁ ଲାଖ କିଣି ଆଣି ବ୍ୟବସାୟ କରୁଥିଲେ କିନ୍ତୁ ବର୍ତମାନ ଆବଶ୍ୟକ କଂଚାମାଲ ସ୍ଥାନୀୟ ଅଂଚଳରେ ଉପଲବ୍ଧ ହୋଇପାରୁନଥିବାରୁ ରାଂଚୀ ବଳରାମପୁର ଅଂଚଳରୁ ଲାଖ ଆଣିବାକୁ ପଡ଼ୁଛି ।  ଯାହା ଅଧିକ ବ୍ୟୟବହୁଳ । ପ୍ରଶାସନ ପକ୍ଷରୁ ଆବଶ୍ୟକ ତାଲିମ ଓ ପ୍ରୋତ୍ସାହନ ଯୋଗାଇଦେଲେ ଅଧିକା ସାମଗ୍ରୀ ଉତ୍ପାଦିତ ହେବା ସହ ଗୋଷ୍ଟିର ସଦସ୍ୟା ମାନେ ଆଗକୁ ବଢିପାରିବେ ବୋଲି ଆଶା ରଖିଛନ୍ତି ।

ଆଧୁନିକ ଛାପରେ ହଜି ଯାଉଥିବା କୌଳିକ ବୃତିକୁ ବଂଚାଇବା ପାଇ ପ୍ରୟାସ କରୁଥିବା ଏହି ଗାଂ ମହିଳାଙ୍କ ଉଦ୍ୟମ ନିଶ୍ଚୟ ଭାବେ ପ୍ରେରଣାଦାୟକ  ।