କନକବ୍ୟୁରୋ : ଜୀବନର ସାଥୀ ଜୀବନସାଥୀ... ସୁଖ-ଦୁଃଖର ସାଥୀ ସାତ ଜନମର ସାଥୀ ।  ଝିଅଟି ନିଜର ବାପା ମାଆ ପରେ ଯଦି କାହାକୁ ସବୁକିଛି ବୋଲି ଭାବିଥାଏ ସେ ହେଉଛି ତା ସ୍ୱାମୀ  ।  ଥରେ ହାତ ଧରି ଶାଶୂ ଘରକୁ ଆସିଲା ପରେ ସେ ପରିବାର ହୋଇଯାଏ ତା ପାଇଁ ସମଗ୍ର ବିଶ୍ୱ ଆଉ ତା ସ୍ୱାମୀ ହୋଇଯାଆନ୍ତି ଇହକାଳ ପରକାଳର ଦେବତା  ।  ସ୍ୱାମୀ ଖୁସିରେ ଖୁସି ଆଉ ସ୍ୱାମୀ ଦୁଃଖରେ ଦୁଃଖି ହୋଇ ପାଦରେ ପାଦ ମିଶାଇ ସଂସାର ବାଟ ଚାଲିଥାଏ  ।  ସେଇଥିପାଇଁ ତ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀର ଆଖ୍ୟା ଦିଆଯାଇଛି ।  ସ୍ତ୍ରୀଟିଏ ସବୁବେଳେ ଚାହେ ତା ଶଙ୍ଖା ସିନ୍ଦୂର ବଜର ହେଉ,ସ୍ୱାମୀ ଦୀର୍ଘାୟୁ ହୁଅନ୍ତୁ । ଏହି କାମନା କରି ସେ ରଖେ ସାବିତ୍ରୀ ବ୍ରତ । 

Advertisment

ସମୟ ଗଡ଼ିବା ସହ ବଦଳୁଛି ଯୁଗ କିନ୍ତୁ ବଦଳି ନାହିଁ ପରମ୍ପରା  ।  ଯୁଗଯୁଗ ଧରି ଆଜି ବି ପାଳନ ହେଉଛି ସାବିତ୍ରୀ ବ୍ରତ । ସୁଲକ୍ଷଣା ସଧବା ନାରୀଟିଏ ବର୍ଷକ ଭିତରେ ଏହି ଦିନଟିକୁ ଅପେକ୍ଷା କରି ବସିଥାଏ । ନିଜର ସ୍ୱାମୀକୁ ଆୟୁଷ୍ମାନ ଏବଂ ମଥାର ସିନ୍ଦୂରକୁ ଚିର ଯାଜୁଲ୍ୟ କରିବା ନିମନ୍ତେ ଉପବାସ ରହି ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରାର୍ଥନା କରିଥାଏ । ସେଦିନ ଯେମିତି ସାବିତ୍ରୀଙ୍କର ପରାକାଷ୍ଠା,ପତିବ୍ରତା ପାଇଁ ପୂର୍ଣ୍ଣଜୀବନ ପାଇ ସାବିତ୍ରୀଙ୍କ ପାଖକୁ ଫେରି ଆସିଥିଲେ ସତ୍ୟବାନ , ସେମିତି ସବୁ ନାରୀମାନେ ଚାହାନ୍ତି ତାଙ୍କ ସ୍ୱାମୀ ସବୁବେଳେ ପାଇଁ ତାଙ୍କ ପାଖରେ ଥାଉ । ତା ମଥାର ସିନ୍ଦୂର ସେମିତି ଝଟକୁଥାଉ । 

ସାବିତ୍ରୀ...ବିବାହିତା ମହିଳାମାନଙ୍କର ଶ୍ରେଷ୍ଠ ବ୍ରତ । ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରି ଜ୍ୟେଷ୍ଠ ଅମାବାସ୍ୟାରେ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ବିବାହିତା ମହିଳାମାନେ । ପୁରାଣ ଅନୁସାରେ ସତ୍ୟବାନଙ୍କର ପତ୍ନୀ ସାବିତ୍ରୀଙ୍କର ଏକାଗ୍ରତା, ପବିତ୍ରତା ଏବଂ ଧର୍ମ ନିଷ୍ଠା ଆଗରେ ହାର୍‌ ମାନିଥିଲେ ଯମରାଜା । କଠୋର ତପସ୍ୟା ଓ ପୂଜାର୍ଚ୍ଚନା କରି ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ । ତେଣୁ ଜ୍ୟେଷ୍ଠ ଅମାବାସ୍ୟାରେ ସଧବା ସ୍ତ୍ରୀମାନେ ମାଆ ସାବିତ୍ରୀଙ୍କୁ ସୁମରଣା କରି ପୂଜାର୍ଚ୍ଚନା କରନ୍ତି । 

ଯେହେତୁ ମାଆ ସାବିତ୍ରୀ ସତ୍ୟବାନଙ୍କୁ ଫେରାଇ ଆଣିବାକୁ ଜଙ୍ଗଲ ଭିତରେ ପୂଜା କରିଥିଲେ ସେଥିପାଇଁ ଏହି ଦିନ କେବଳ ଫଳ ମୂଳ ନେଇ ଚଉଁରା ପାଖରେ ପୂଜାର୍ଚ୍ଚନା କରାଯାଏ । କିଛି ସ୍ଥାନରେ ବଟ ସାବିତ୍ରୀ ବା ବଟ ଗଛକୁ ପୂଜା କରାଯାଏ । ମହିଳାମାନେ ଉପବାସ ରହି ବଟ ଗଛ ମୂଳରେ ବିଭିନ୍ନ ପ୍ରକାରର ଫଳ ମୂଳ ନେଇ ପୂଜା କରନ୍ତି ଏବଂ ସ୍ୱାମୀର ଦୀର୍ଘାୟୁ କାମନା କରନ୍ତି । 

ତେବେ ଯୁଗ ଯେତେ ବି ବଦଳୁ ସ୍ୱାମୀ ପାଇଁ ସ୍ତ୍ରୀର ଏହି ନିଷ୍ଠା ଓ ପତିବ୍ରତା ରହିଥିଲା..ରହିଛି...ଏବଂ ରହିଥିବ ମଧ୍ୟ ।