କନକ ବ୍ୟୁରୋ: ନିକଟରେ ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ପୋଡ଼ି ଘଟଣା ତା ପରେ ପରେ ଗତକାଲି ପିପିଲି ବଳଙ୍ଗା ନାବାଳିକା ପୋଡ଼ି  ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । କେବଳ ରାଜ୍ୟ ଭିତରେ ନୁହେଁ ଦେଶରେ ମଧ୍ୟ ଏହା ଆଲୋଚନାର ବିଷୟ ପାଲଟିଛି । ଗତ କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି  ଯାହା କହିଥିଲେ ଯେ, ଓଡିଶାରେ ମହିଳା ସୁରକ୍ଷିତ ନୁହଁନ୍ତି ସେଠିକାର ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯିବା ପୂର୍ବରୁ ସତର୍କ କରାଇଥିଲେ ଏବେ ସେନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । 

Advertisment

ବଡ଼ କଥା ହେଉଛି ରାଜ୍ୟରେ ବିଭିନ୍ନ  ସ୍ଥିତିରେ ଝିଅମାନଙ୍କୁ ଅତ୍ୟାଚାର କରି ପୋଡ଼ି ମାରିଦେଉଛନ୍ତି ତ ଆଉ କିଏ ଅତ୍ୟାଚାରର ଶିକାର ହୋଇ ନିଜେ ଜୀବନ ହାରୁଛି ଏସବୁ ପରେ ବି ତଦନ୍ତ ହେଉଛି କିନ୍ତୁ ସେ ତଦନ୍ତର କିଛି ନିଷ୍କର୍ଷ ବାହାରୁନି । ସମୟ କ୍ରମେ ଘଟଣା ଥମିଯାଉଚି ତଦନ୍ତ କେଉଁଆଡ଼େ ଚପିଯାଉଛି କିଛି ଜଣାପଡ଼ୁନି । 

୨୦୧୩ର ଘଟଣା ଯେବେ ପୁରୀ ଜିଲ୍ଲାରୁ ଯାଇ  ରାୟଗଡ଼ା ଟିକିରିରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଇତିଶ୍ରୀ ପ୍ରଧାନଙ୍କୁ କିଛି ଦୁର୍ବତ୍ତ କିରୋସିନ ପକାଇ ପୋଡ଼ି ମାରିଦେଲେ । ହସ୍ପିଟାଲ ବେଡରେ ଗୁରୁତର ଅବସ୍ଥାରେ ପୀଡ଼ିତା ଅଭିଯୁକ୍ତଙ୍କ ନାଁ ନେଇ ନ୍ୟାୟ ମାଗିଲେ । ତଦନ୍ତ  ଆରମ୍ଭ ହେଲା । ପ୍ରଥମେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା କିନ୍ତୁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ବିଫଳ ହେବାରୁ ଏହି ଦାୟିତ୍ବ ସିବିଆଇକୁ ଦିଆଗଲା । ହେଲେ ସିବିଆଇ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ଦୂରେ ଥାଉ ଚିହ୍ନଟ ବି କରିପାରିଲା ନାହିଁ । ଶେଷରେ ଇତିଶ୍ରୀଙ୍କ ମୃତ୍ୟୁ ପରେ ଘଟଣା କ୍ରମରେ ଏହି ମାମଲାର ତଦନ୍ତରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ସୁପ୍ରମିକୋର୍ଟ । ଝିଅ ଚିନ୍ତା କରି କରି , ଆଉ ନ୍ୟାୟର ବାଟ ଚାହିଁ ଚାହିଁ ଇତିଶ୍ରୀଙ୍କ ବାପା ବି ଆରପାରିକୁ ଚାଲିଗଲେ । ହେଲେ ଫଳ ଶୂନ୍ ।

କୁନ୍ଦୁଲି ପୀଡ଼ିତାଙ୍କ ଘଟଣା ବି ସେହିଭଳି । ଗଣ ଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ପାଇଲେନି । ପୁଲିସ ପୀଡ଼ିତାଙ୍କୁ ଦୀର୍ଘଦିନ ହେପାଜତରେ ରଖି ଚିକିତ୍ସା କରାଇଥିଲେ ବି ଏହା ଗଣଦୁଷ୍କର୍ମ ନୁହେଁ କହି ପୀଡ଼ିତାଙ୍କ ଅଭିଯୋଗକୁ ମିଛ ବୋଲି ସାବ୍ୟସ୍ତ କରିଥିଲେ । ଶେଷରେ ନ୍ୟାୟ ନପାଇ ନି ଓଢ଼ଣୀରେ ଫାଶି ଲଗାଇ ଜୀବନ ହାରିଲେ ପୀଡ଼ିତା ।

 ୨ ବର୍ଷ ତଳେ ବଲାଙ୍ଗୀର କଣ୍ଟାବାଂଜିର ମମିତା ମେହେର ହତ୍ୟା ଘଟଣା । କଲେଜ ପରିସରରେ ଚାଲିଥିବା ବେଆଇନ ତଥା ଅନୈତିକ କାର୍ଯ୍ୟ ବିଷୟରେ ସେଠାରେ କାର୍ଯ୍ୟରତା ଶିକ୍ଷୟିତ୍ରୀ ମମିତା ମେହେର ଜାଣିଥିବାରୁ ତାଙ୍କୁ ଗୋବିନ୍ଦ ସାହୁ ନାମକ ବ୍ୟକ୍ତି ହତ୍ୟା କରିଥିଲା । କେବଳ ହତ୍ୟା ନୁହେଁ ତାଙ୍କୁ ମାରି ପୋଡ଼ି  କଲେଜ ପରିସର ଭିତରେ ପୋତିଦେଇଥିଲା । ଏ ଘଟଣାର ଖୋଳତାଡ଼ ହେଲା , ତଦନ୍ତ ବି ହେଲା କିନ୍ତୁ ଏଥିରେ ନେତା , ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । କ୍ରମେ ଏହି ଘଟଣା ବି କେଉଁଠି ଲୁଚିଗଲା ।

ଆଉ ଏବେ ବାଲେଶ୍ବର ଏଫଏମ୍ କଲେଜରେ ବିଏଡ ଛାତ୍ରୀ ପୋଡ଼ି ଘଟଣା ସହ  ପିପିଲି ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା । ଏକା ଢଙ୍ଗରେ ତଦନ୍ତ ଚାଲିଛି । କିନ୍ତୁ ତଦନ୍ତର ଗତି ଆଉ ପରିସମାପ୍ତି କାହାକୁ ଜଣାନାହିଁ । ଏଠି ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କେତେଦିନ ଆଉ ଏମିତି ଘଟଣା ଘଟୁଥିବ । ଆଉ ଆମର କେତେ ଝିଅ ଜଳୁଥିବେ?