କନକ ବ୍ୟୁରୋ: ଆଜିର ଦିନରେ ଯୁବପିଢୀ ଚାକିରୀ ଅପେକ୍ଷା ଉଦ୍ୟୋଗୀ ହେବାକୁ ପସନ୍ଦ କରୁଛନ୍ତି। ସେମିତି ବାଲେଶ୍ଵରର ଗୌରବ ରାଠି । ଜଣେ ଆଇଆଇଟିଆନ୍ । ଉଚ୍ଚ ଶିକ୍ଷା ପରେ ଉଚ୍ଚ ବେତନରେ ଚାକିରି କରୁଥିଲେ । କିନ୍ତୁ ଆତ୍ମସନ୍ତୋଷ ପାଉନଥିଲେ । ଶେଷରେ ବିଦେଶ ଚାକିରୀ ଛାଡ଼ି ବାଲେଶ୍ଵର ଫେରି ଆସିଲେ। ନିଜର start-up ଆରମ୍ଭ କଲେ । ଆଜି ନିଜେ ସ୍ବାବଲମ୍ବୀ ହେବା ସହ ସିଧାସଳଖ ୧୫ ଜଣଙ୍କୁ ଚାକିରୀ ଦେଇଛନ୍ତି । ୩ ବର୍ଷ କର୍ପୋରେଟ ହାଉସରେ ଚାକିରି କଲେ । ବିଦେଶରେ ମଧ୍ୟ କାମ କରୁଥିଲେ। କିନ୍ତୁ ନିଜେ ଜଣେ ଉଦ୍ୟୋଗୀ ବନିବାର ଇଚ୍ଛା ତାଙ୍କୁ ଜନ୍ମାଟିକୁ ଫେରାଇ ଆଣିଥିଲା । ୨୦୧୪ରେ ଷ୍ଟାର୍ଟ-ଅପ୍ ଆରମ୍ଭ କଲେ । ୫୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ କରି ପ୍ଲାଷ୍ଟିକ ସୂତୁଲି ଫ୍ୟାକ୍ଟ୍ରି ଆରମ୍ଭ କଲେ । ସେଥିରେ ସଫଳତା ପାଇବା ପରେ ଦେଢ ବର୍ଷ ହେବ ତିଆରି କରୁଛନ୍ତି  ଆଗ୍ରୋ ସେଡ୍‌ ନେଟ୍‌ ।  ବର୍ତ୍ତମାନ ଏହାର ବଜାର ଚାହିଦା ବେଶ୍ ରହିଛି । ପ୍ଲାଷ୍ଟିକ ଗ୍ରାନୁଏଲରୁ ପ୍ଲାଷ୍ଟିକ ସିଟ୍‌ ଓ ସେଥିରୁ ସୂତା ବାହାରୁଛି । ଏହାପରେ ଏହି ପ୍ଲାଷ୍ଟିକ ସୂତା ବ୍ୟବହାର କରି ଆଗ୍ରୋ ସେଡ୍‌ ନେଟ ତିଆରି ହେଉଛି ।

Advertisment

ଏବେ ଏହି ଆଗ୍ରୋ ନେଟ୍‌ର ବହୁଳ ବ୍ୟବହାର ହେଉଛି । ଚାଷ ହେଉ କି ନିର୍ମାଣ କାମ ସବୁଠି ବ୍ୟବହାର ହେଉଛି । ସାରା ଓଡ଼ିଶାରେ ହାତ ଗଣତି ଏଭଳି ଫ୍ୟାକ୍ଟ୍ରି ରହିଛି। ସବୁ ପ୍ରକ୍ରିୟା ସ୍ଵୟଂ ଚାଳିତ ମେସିନରେ କରାଯାଉଛି । ସୂତା ଲଗେଇବା, ଫୋଲ୍ଡ କରିବା, ପ୍ୟାକିଙ୍ଗ କରିବା, ମେସିନ୍ ଚଲେଇବା ଭଳି ସବୁ କାମ ପାଇଁ ୧୫ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ଗୌରବ ।   ପ୍ରତେକ୍ଷ ଓ ପରୋକ୍ଷ ଭାବେ ଏହି ଉଦ୍ୟୋଗରେ ୨୦ରୁ ୨୫ ଜଣ ନିଯୁକ୍ତି ପାଇଛନ୍ତି । ଭଲ ରୋଜଗାର ମିଳିବା ସହ ଆତ୍ମ ସନ୍ତୋଷ ମିଳୁଛି । ବାର୍ଷିକ ୫ରୁ ୭ କୋଟି ଟଙ୍କାର ବ୍ୟବସାୟ ହେଉଛି । ଉତ୍ପାଦିତ ସାମଗ୍ରୀ ଓଡିଶା ଓ ପଶ୍ଚିମବଙ୍ଗକୁ ବିକ୍ରୀ ପାଇଁ ପଠାଯାଉଛି। ଆଗକୁ ବିଦେଶକୁ ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗୌରବ ।  ସତରେ ପାଠପଢ଼ି ଚାକିରି କରିବା ଅପେକ୍ଷା ନିଜସ୍ବ ଉଦ୍ୟମରେ ଏକ ଉଦ୍ୟୋଗ ପ୍ରତିଷ୍ଠା କରିବା ବହୁତ ସୁନ୍ଦର ପରିକଳ୍ପନା । ଏଭଳି ଉଦ୍ୟମ ସମସ୍ତଙ୍କ ମନରେ ଜାଗ୍ରତ ହେବା ଜରୁରୀ ।