କନକ ବ୍ୟୁରୋ : ତାଇୱାନରେ ତାଣ୍ଡବ ରଚିଛି ବାତ୍ୟା କଙ୍ଗ-ରେ । ଗୁରୁବାର ସାମୁଦ୍ରିକ ଝଡ ତାଇୱାନ ପୂର୍ବ ଉପକୂଳରେ ମାଡ଼ ହେବା ପରେ ବ୍ୟାପକ କ୍ଷୟକ୍ଷତି କରିଛି । ଭୀଷଣ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ଅଂଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି । ତଳିଆ ଅଂଚଳରେ ପାଣି ମାଡ଼ିଯିବାରୁ ଲୋକ ଜଳବନ୍ଦୀ ହୋଇପଡିଛନ୍ତି । ବହୁ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପ୍ରଭାବିତ ଅଂଚଳରୁ ୧୦ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳୀ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ବାତ୍ୟା ପ୍ରଭାବରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ସାମୁଦ୍ରିକ ଝଡ ପ୍ରଭାବକୁ ଆଖିରେ ରଖି ଗୁରୁବାର ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଳେ ୨୯୮ ବିମାନର ଉଡାଣକୁ ବାତିଲ କରାଯାଇଛି । ତାଇୱାନ ପୂର୍ବ ଉପକୂଳରେ ବାତ୍ୟା କଙ୍ଗ-ରେ ମାଡ଼ ହୋଇ ତାଇତୁଙ୍ଗ ପ୍ରାନ୍ତ ଆଡକୁ ଆଗେଇଥିଲା । ସାମୁଦ୍ରିକ ଝଡ ତାଇତୁଙ୍ଗ ପ୍ରାନ୍ତ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୧୮୦ କିମି ବେଗରେ ପବନ ବହିଥିବା ସୂଚନା ମିଳିଛି । ସେପଟେ ୟିଲାନ, ହୁଆଲିୟମ କାଉଣ୍ଟିଂରେ ପ୍ରବଳ ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡିଛି ।