କନକ ବ୍ୟୁରୋ:  ବିଫଳ ହେଉଛି ଟ୍ରାଙ୍କୁଲାଇଜ । ଘନ ଜଙ୍ଗଲରୁ ବାହାରୁନି ବାଘୁଣୀ ଜିନ୍ନତ। ଜଙ୍ଗଲର ଚାରିପଟେ ବନବିଭାଗର କର୍ମଚାରୀ । ଡିପ୍ ଫରେଷ୍ଟରେ ରାଡ଼ିଓ କଲାର ନେଟୱାର୍କ କାମ ଦେଉନଥିବାରୁ ଟ୍ରାକିଂରେ ସମସ୍ୟା ଉପୁଜୁଛି । ବାଘୁଣୀ ଉପରେ ନଜର ରଖିଛନ୍ତି ୧୩୦ କର୍ମଚାରୀ । ଜଙ୍ଗଲର ବିଭିନ୍ନ ସ୍ଥାନରେ ବାଛୁରୀ, ଛେଳି, ଘୁଷୁରିକୁ ବାନ୍ଧି ରଖାଯାଇଥିଲେ ମଧ୍ୟ ଶିକାର କରିନି ଜିନ୍ନତ । କିଛି ଦିନ ହେଲା ବନ ବିଭାଗର ନିଦ ହଜାଇଲାଣି ବାଘୁଣୀ ଜିନ୍ନତ । ଶିମିଳିପାଳ ଛାଡ଼ିବା ପରେ ଛତିଶଗଡ଼ ଦେଇ ଏବେ ପଶ୍ଚିମବଙ୍ଗରେ ପହଞ୍ଚିଛି ।

Advertisment

ଝାଡ଼ଗ୍ରାମ ଡେଇଁ ପୁରୁଲିଆ ଜିଲ୍ଲା ବାନ୍ଦଓ୍ବାନରେ ପହଞ୍ଚିଯାଇଛି । ଡିସେମ୍ବର ୮ ତାରିଖ ରାତିରେ ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡର ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ୧୨ ଦିନ ରହିବା ପରେ ୧୯ ତାରିଖ ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିଥିଲା । ଜିନ୍ନତ ଏବେ ଓଡ଼ିଶାଠାରୁ ପ୍ରାୟ ୧୩୦କିମି ଦୂରରେ ରହିଛି । ଦିନକୁ ପ୍ରାୟ ୨୫ରୁ ୩୦ କିଲୋମିଟର ବାଟ ଅତିକ୍ରମ କରୁଛି ବାଘୁଣୀ । ଯେକୌଣସି ମୁହୂର୍ତ୍ତରେ ଜନବସତିକୁ ପଶିଯିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ଜନ୍ନତକୁ ଟ୍ରାଙ୍କୁଲାଇଜ୍‌ କରି ଓଡ଼ିଶା ଫେରାଇ ଆଣିବାକୁ ଚେଷ୍ଟା ଆରମ୍ଭ କରିଛି ବନ ବିଭାଗ । ସୁନ୍ଦରବନର ଅଭିଜ୍ଞ ବାଘ ଧରାଳି ମଧ୍ୟ ଜୀନ୍ନତକୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି ।