କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ବିଷାକ୍ତ ହୋଇଛି ପାଣି, ପବନ । ଶୀତ ଆସିବା ପୂର୍ବରୁ ସୃଷ୍ଟି ହେଲାଣି ସେହି ପୁରୁଣା ସମସ୍ୟା । ବାୟୁର ଗୁଣବତ୍ତା ବିଗିଡିବାରେ ଲାଗିଛି । ଧୂଳି ଧୂଆଁରେ ଅଣନିଶ୍ବାସୀ ହୋଇ ପଡ଼ିଲେଣି ଦିଲ୍ଲୀବାସୀ । ଏକ୍ୟୁଆଇ ଲେବୁଲ ୩ଶହ ପାର କରିଛି । ଯାହାଫଳରେ କ୍ଷତିକାରକ ହୋଇପଡ଼ିଛି ବାୟୁ ମଣ୍ଡଳ । ସକାଳୁ ସକାଳୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ରାସ୍ତା ପରିସ୍କାର ଦିଶୁନଥିବାରୁ ଅନେକ ସମସ୍ୟା ଉପୁଜିବାରେ ଲାଗିଛି । ତେବେ ଏଥିରୁ ରକ୍ଷା ପାଇବାକୁ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ପାଣି ସିଞ୍ଚନ କରାଯାଉଛି । ବଡ ବଡ ଟ୍ୟାଙ୍କରରେ ପାଣି ଆଣି ବିଭିନ୍ନ ସ୍ଥାନରେ ସ୍ପ୍ରେ କରୁଛି ମହାନଗର ନିଗମ । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପରିବେଶବିତ । ସେହିପରି ପ୍ରଦୂଷଣ ପାଇଁ ଦିଲ୍ଲୀବାସୀଙ୍କ ଆୟୁ କମି ଯାଉଥିବା କହିଛନ୍ତି ବିଜେପି ନେତା ମନୋଜ ତିୱାରୀ ।
ଆଗକୁ ଛଟ୍ ପୂଜା ଥିବା ବେଳେ ଯମୁନା ନଦୀରେ ବିଷାକ୍ତ ଫେଣକୁ ନେଇ ଚିନ୍ତା ବଢ଼ିଛି । ଦିଲ୍ଲୀର କାଳନ୍ଦିକୁଞ୍ଜ ଅଞ୍ଚଳରେ ସଙ୍ଗୀନ୍ ସ୍ଥିତି ଉପୁଜିଛି । ଅତ୍ୟାଧିକ ପ୍ରଦୂଷଣ ଯୋଗୁ ଏହିଭଳି ବିଷାକ୍ତ ଫେଣ ସୃଷ୍ଟି ହୋଇଛି । ଏଥିରେ ଗାଧୋଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ବ୍ୟାପିବାର ଭୟ ରହିଛି । ଯାହାକୁ ନେଇ ଲୋକଙ୍କ ଚିନ୍ତା ମଧ୍ୟ ବଢ଼ିଛି । କେନ୍ଦ୍ରମନ୍ତ୍ରୀ ହର୍ସ ମଲହୋତ୍ରା ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ଆପ ସରକାର ଉପରେ ବର୍ଷିଛନ୍ତି । ଲୋକଙ୍କ ଆସ୍ଥା ଓ ବିଶ୍ବାସ ସହ ଆପ ଖେଳ ଖେଳୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ ପ୍ରଦୂଷଣ ରୋକିବା ପାଇଁ ସବୁ ରାଜ୍ୟକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସଫେଇ ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ।
ଦିଲ୍ଲୀରେ ପ୍ରଦୂଷଣ ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଏହାକୁ ମୁଦ୍ଦା କରି ଆପ୍ ସରକାରକୁ ଟାର୍ଗେଟ କରିଛି ବିଜେପି । ତେବେ ଲୋକଙ୍କ ପାଇଁ ବିପଦ ସାଜିଥିବା ପ୍ରଦୂଷଣ ସମସ୍ୟା କିଭଳି ଦୂର ହେବ ତାହା ବଡ଼ ପ୍ରଶ୍ନ ।