କନକ ବ୍ୟୁରୋ : ଅଘଟଣ ଏମିତି ଆସିଲା ଯେ, ସତର୍କ ହେବାକୁ ସୁଯୋଗ ଦେଲାନି। ମୃତ୍ୟୁ କୋଳକୁ ଟାଣିନେଲା। ହଠାତ୍ ଅପରାହ୍ଣରେ ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ହଳଦୀଢ଼ିଅ ଛକ ବିସ୍ଫୋରଣରେ ଥରି ଉଠିଲା। ଲୋକଙ୍କ ଆର୍ତ୍ତ ଚିତ୍କାର ଓ ବିସ୍ଫୋରଣ ଶବ୍ଦ ଶୁଣି ଦୌଡ଼ି ଆସିଥିଲେ ପାଖ ପଡ଼ିଶା। ହୁତହୁତ ହୋଇ ଜଳୁଥିଲା ବାଣ ଗୋଦାମ, ଆଉ ତଳେ ଗଡ଼ି ଛଟପଟ ହେଉଥିଲେ ସେଠାରେ କାମ କରୁଥିବା ୫ଜଣ। ନିଆଁ ଓ ବାଣରେ ବ୍ୟବୃହତ ବାରୁଦରେ ଏମିତି ପୋଡ଼ିଯାଇଥିଲେ, ଯେ ହାତ ଦେଲେ ଚମଡ଼ା ଉତୁରି ଯାଉଥିଲା। ଉପସ୍ଥିତ ଲୋକ ସମସ୍ତଙ୍କୁ ଉଦ୍ଧାର କରି କଦଳୀ ପତ୍ରରେ ଶୁଆଇ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ଜଣେ ନାବାଳକ ଓ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନି ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।   

Advertisment

ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ବାଣ ଗୋଦାମ ନିକଟ ଗଛର ଶାଖା ପ୍ରଶାଖାରେ ଲାଖି ରହିଛି ବାଣ ଗଚ୍ଛିତ ରଖାଯାଇଥିବା ଅଖା ଓ ପଲିଥିନ। ଏହା ପ୍ରମାଣ ଦେଉଛି ଅଗ୍ନିକାଣ୍ଡ ପରେ ବିସ୍ଫୋରଣର ତିବ୍ରତା କେତେ ଭୟଙ୍କର ଥିଲା। ଗୋଦାମରେ ଥିବା ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୁରୁଣା ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଭଦ୍ରକ ହଳଦୀଢ଼ିଅରେ ବାଣଗୋଦାମ ବିସ୍ଫୋରଣ ଘଟଣାରେ ୮ ବର୍ଷର ନାବାଳକ ସହ ମହିଳାଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।