କନକ ବ୍ୟୁରୋ:  ମନରେ ଥିଲା ଅନେକ ଆଶା ଆଉ ସ୍ବପ୍ନ । ତିଆରି ହେବ ନୂଆ ଘର । ବଡ଼ ଝିଅର ବାହାଘର ହେବ । ସେହି ସ୍ୱପ୍ନ ପୂରଣ ପାଇଁ ପେଟରୁ କାଟି କିଛି କିଛି ସଂଚୟ କରୁଥିଲେ । ହେଲେ ଗତକାଲି ରାତିରେ ଲାଗିଥିବା ନିଆଁ ସବୁ ଗିଳି ଦେଇଛି । ଜାଳିଦେଲା ଝିଅ ବାହାଘର ସ୍ବପ୍ନ । ପାଉଁଶ ତଳୁ ସ୍ମୃତି ସାଉଁଟୁଛି ପୀଡ଼ିତ ପରିବାର  ।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜରେ ।  ସବୁ ସରିଗଲା । ସ୍ୱପ୍ନ ଜଳିଗଲା। ଆଶା ମରିଗଲା। ପୋଡ଼ିଗଲା ସଞ୍ଚିତ ଅର୍ଥ। ନିଆଁ ଆଁରୁ ବର୍ତ୍ତିଲା ନାହିଁ  ମାଣ ଖଟୁଲି ।  ମାତ୍ର କିଛି ମିନିଟ୍‌ ଭିତରେ ସବୁକିଛି ଛାରଖାର ହୋଇଗଲା । ଆଖି ଆଗରେ  ଅଙ୍ଗାର ହୋଇଗଲା ଘର । ଏବେ ପାଉଁଶ ତଳୁ ଖୋଜା ଚାଲିଛି ଉଜୁଡ଼ା ସ୍ବପ୍ନ । ମାଟି ତଳୁ ସାଉଁଟୁଛନ୍ତି ସାଇତା ସାମଗ୍ରୀ।  ନୂଆ ଘର ଓ ଝିଅ ବାହାଘର ପାଇଁ ପେଟରୁ କାଟି ସଂଚୟ କରିଥିଲେ ୭ଲକ୍ଷରୁ ଅଧିକ ଟଙ୍କା । ବୁଧବାର ରାତିର ନିଆଁରେ ସବୁ କିଛି ଜଳିଯାଇଛି। 

Advertisment

ଅଙ୍ଗାର ଭିତରୁ ଆଶାର ଆଲୋକ ଖୋଜୁଛନ୍ତି ଉଦଳା ଥାନା ଅନ୍ତର୍ଗତ ବାଉଁଶପାଳ ଗାଁର ବସନ୍ତ ମଲ୍ଲିକଙ୍କ ପରିବାର ।  ସର୍ଟ ସର୍କିଟରୁ ବସନ୍ତଙ୍କ ଚାଳ ଛପର ଘର ଜଳିଯାଇଛି । ସୌଭାଗ୍ୟ ବଶତଃ ଘରେ କେହି ନଥିଲେ । ପୁରୁଷ ଲୋକ ବାହାରକୁ କାମ ସାରି ଫେରୁଥିଲେ। ମହିଳାମାନେ ସମ୍ପର୍କୀୟଙ୍କ ଘରେ ଥିଲେ । ହଠାତ ଖବର ଆସିଲା ଘରେ ନିଆଁ ଲାଗିଛି । ଘର ପାଖରେ ପହଞ୍ଚି ଦେଖିଲେ ହୁତୁହୁତୁ ହୋଇ ଜଳି ଯାଉଛି ସବୁକିଛି । ସମସ୍ତେ ନିରୁପାୟ ଅସହାୟ । ନିଆଁର ତାଉ ଏତେ ଥିଲା ଯେ, କିଛି ବାହାର କରିପାରିଲେ ନାହିଁ । ମାତ୍ର କିଛି ମୁହୂର୍ତ୍ତ ଭିତରେ ଝିଅ ବାହାଘର ପାଇଁ ଥିବା ସୁନାଗହଣା, ଟଙ୍କା ଓ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଗଲା । ପିଲାଙ୍କ ଖାତାବହି, ଜମିପଟ୍ଟା, ଠାକୁରଙ୍କ ପୂଜା ସାମଗ୍ରୀ, ସବୁ ଏବେ ଦରପୋଡ଼ା । କହିବାକୁ ଗଲେ କିଛି ନାହିଁ । ଅଗ୍ନିକାଣ୍ଡ ବିପତ୍ତି ଯେ କେତେ କଷ୍ଟ ଦାୟକ ତାହା ବସନ୍ତଙ୍କ ପରିବାରର ଅବସ୍ଥା ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି ।