କନକ ବ୍ୟୁରୋ : ଭାରତ ଏପରି ଏକ ଦେଶ ଯେଉଁଠି ଦେବା ଦେବୀଙ୍କ ଅନେକ ମନ୍ଦିର ରହିଛି ଏବଂ ସବୁ ମନ୍ଦିରର କିଛି ପୌରଣିକ ତଥ୍ୟ ମଧ୍ୟ ରହିଛି । ସବୁ ମନ୍ଦିରକୁ ପୁରୁଷ ମହିଳା ଉଭୟେ ଯାଇ ପୂଜା କରିଥାଆନ୍ତି କିନ୍ତୁ ଆଜି ଆମେ ଏପରି ଏକ ମନ୍ଦିର ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ , ଏହା ଏମିତି ଏକ ମନ୍ଦିର ଯେଉଁଠି ପୁରୁଷ ମାନଙ୍କ ପ୍ରବେଶ ନିଷେଧ । କେବଳ ପୂଜା କରନ୍ତି ମହିଳା । 

Advertisment

ଆଜ୍ଞା ହଁ ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଗୋଟିଏ ମନ୍ଦିର ଅଛି ଯେଉଁଠାରେ କେବଳ ମହିଳାମାନଙ୍କ ଉପସ୍ଥିତି ହିଁ ଗ୍ରହଣୀୟ ଏବଂ ପୁରୁଷମାନଙ୍କ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ । ଏହାକୁ 'ବାହେନୋଁ କା ମନ୍ଦିର' ବା 'ଭଉଣୀମାନଙ୍କ ମନ୍ଦିର' କୁହାଯାଏ ।  ଏହି ମନ୍ଦିରଟି ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଅବସ୍ଥିତ । ସ୍ୱାମୀନାରାୟଣ ସଂମ୍ପ୍ରଦାୟ ତରଫରୁ ଏହି ମନ୍ଦିର ସ୍ଥାପନା କରାଯାଇଥିଲା । 

ବୁରହାନପୁରରେ ଥିବା ଐତିହାସିକ ସ୍ୱାମୀନାରାୟଣ ମନ୍ଦିର ପରିସରରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି 'ଭଉଣୀମାନଙ୍କ ମନ୍ଦିର' ପ୍ରସିଦ୍ଧ । ଏଠାକୁ ଆସୁଥିବା ମହିଳାମାନେ ସମ୍ପୂର୍ଣ୍ଣ ସ୍ୱାଧୀନତା ସହିତ ଧ୍ୟାନ, ପୂଜା ଏବଂ ଭଜନ କରନ୍ତି । କିଛି ବର୍ଷ ପୂର୍ବେ ଏହି ସ୍ଥାନର ପୁନରୁଦ୍ଧାର କରାଯାଇଥିଲା, ଯାହା ଏହାକୁ ଆହୁରି ସୁସଜ୍ଜିତ ଏବଂ ଭବ୍ୟ କରିଛି । 

ଭଉଣୀମାନଙ୍କ ମନ୍ଦିରର ଆଉ ଏକ ବିଶେଷତା ହେଉଛି ଏଠାରେ ପୂଜକ ମଧ୍ୟ ମହିଳା ।  ଏଠାରେ ମହିଳାମାନେ ସକାଳ ଏବଂ ସନ୍ଧ୍ୟାରେ ଏକାଠି ସତସଙ୍ଗ, ଏବଂ ଭଜନ ଗାନ କରନ୍ତି । ପାଖାପାଖି ୨୦୦ ମହିଳା ଏକାଠି ବସି ଏଠାରେ ପୂଜା କରନ୍ତି । ମହିଳାମାନଙ୍କ କହିବା କଥା ଯେ ଏହିପରି ଏକ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ଦ୍ୱାରା ସେମାନେ ଅନୁଭବ କରନ୍ତି ଯେ ଧର୍ମରେ ସେମାନଙ୍କର ଅନେକ ମହତ୍ତ୍ୱ ଅଛି ।