ଭୌଗୋଳିକ କ୍ଷେତ୍ର , ଖାଦ୍ୟପେୟ , ରହଣୀଶୈଳୀ ସହ ସାଂସ୍କୃତିକ ଏବଂ ଧାର୍ମିକ ରୂପରେ ମଧ୍ୟ ଭାରତବର୍ଷ ହେଉଛି ବିବିଧତାର ଦେଶ । ଭାରତ ଭୂମିରେ ଦେବୀଦେବତାଙ୍କୁ ପୂଜା କରାଯିବା ସହ ପଶୁଙ୍କୁ ମଧ୍ୟ ପୂଜା କରାଯାଏ । ଏମିତି ଅନେକ ମନ୍ଦିର ରହିଛି ଯେଉଁଠି ଗୋମାତା , ନାଗ ଦେବତା , ମୂଷିକ ରାଜ ନାମରେ ପଶୁଙ୍କୁ ପୂଜା କରାଯାଏ । କିନ୍ତୁ ମନ୍ଦିରରେ କୁକୁରଙ୍କୁ ପୂଜା କରୁଥିବା କେବେ ଶୁଣିଛନ୍ତି କି? ଦକ୍ଷିଣ ଭାରତର କେରଳ ରାଜ୍ୟରେ ଏମିତି ହିଁ ଏକ ମନ୍ଦିର ରହିଛି । ଶ୍ୱାନ ବା କୁକୁରଙ୍କୁ ସମର୍ପିତ ଏହି ମନ୍ଦିରର ଦେବତା ହେଲେ ଭଗବାନ ମୁତ୍ଥପନ୍ । ତେବେ ଭଗବାନ ମୁତ୍ଥପନ୍ ଏବଂ କୁକୁରଙ୍କ ମଧ୍ୟରେ କ’ଣ ସମ୍ବନ୍ଧ ରହିଛି ଆସନ୍ତୁ ଜାଣିବା । 

dog temple
ମଣିଷର ବିଶ୍ୱସ୍ଥ ବନ୍ଧୁ କହିଲେ କୁକୁରର ନାଁ ସର୍ବାଗ୍ରେ ଆସେ । ପ୍ରାୟ ସମସ୍ତଙ୍କୁ କୁକୁର ପ୍ରିୟ ହୋଇଥାନ୍ତି । ପୋଷା କୁକୁର ପାଳିଥିଲେ ଘରର ସଦସ୍ୟ ଭଳି ତାଙ୍କୁ ବ୍ୟବହାର ଦେଖାନ୍ତି । କିନ୍ତୁ କନ୍ନୁର ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିରରେ କୁକୁରଙ୍କ ପୂଜା ବି କରାଯାଏ ଏବଂ ମୁତ୍ଥପନ୍ ସ୍ୱାମୀଙ୍କ ପାଖରେ ଲାଗି ହୋଇଥିବା ପ୍ରଥମ ପ୍ରସାଦକୁ ମଧ୍ୟ କୁକୁରଙ୍କୁ ଖାଇବାକୁ ଦିଆଯାଏ । ଆପଣ ଦକ୍ଷିଣ ଜଗତର ଚର୍ଚ୍ଚିତ ସିନେମା କାନ୍ତାରା ଯଦି ଦେଖିଥିବେ ତାହେଲେ ଗ୍ରାମ ଦେବତାଙ୍କ ମହାତ୍ମ୍ୟ ବିଷୟରେ ଉଣାଅଧିକ କିଛି ନିଶ୍ଚୟ ଜାଣିଥିବେ । ଏହି ମନ୍ଦିରରେ ମଧ୍ୟ କାନ୍ତାରା ପୂଜା ପାଆନ୍ତି । ରୋଚକ କଥା ହେଉଛି କାନ୍ତାରା କୁକୁର ଛୁଆଙ୍କ ନାମକରଣ କରନ୍ତି । ମୁତ୍ଥପନ୍ ସ୍ୱାମୀଙ୍କ ମନ୍ଦିରରେ କୁକୁର ଛୁଆଙ୍କ ନାମକରଣ କରିବାକୁ କାହିଁ କେତେ ଦୂରରୁ ଭକ୍ତମାନେ ଆସନ୍ତି । ମନ୍ଦିରରେ କାନ୍ତାରା କୁକୁର ଛୁଆଙ୍କ ନାଁରେ ସ୍ୱତନ୍ତ୍ର ମନ୍ତ୍ର ପୂଜା କରିବା ସହ କାନରେ ତାଙ୍କ ନାଁ କୁହନ୍ତି ଏବଂ ପ୍ରସାଦ ଖାଇବାକୁ ଦିଅନ୍ତି । 

Kantara

ମୁତ୍ଥପନ୍ ସ୍ୱାମୀଙ୍କ ମନ୍ଦିରରେ ଅନେକ ପରମ୍ପରା ରହିଛି ଯାହା ଅନ୍ୟ ହିନ୍ଦୁ ମନ୍ଦିରମାନଙ୍କଠାରୁ ଭିନ୍ନ । ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ‘ଥେୟମ୍’ ନାମକ ଏକ ବିଶେଷ ନୃତ୍ୟ ପରିବେଶଣ କରାଯାଏ । ଏହାସହ ମୁତ୍ଥପନ୍ ସ୍ୱାମୀଙ୍କୁ ଦେଶୀମାଛ , ମାଂସ ଏବଂ ଟୋଡି ନାମକ ଏକ ଗ୍ରାମୀଣ ତାଡ଼ି ପ୍ରସାଦ ରୂପକ ଅର୍ପଣ କରାଯାଏ । ସର୍ବଧର୍ମାବଲମ୍ବୀ ଭକ୍ତଙ୍କୁ ଏହି ମନ୍ଦିରରେ ପ୍ରବେଶ କରିବାର ଅନୁମତି ରହିଛି । 

ଲୋକମାନ୍ୟତା ଅନୁସାରେ , ଭଗବାନ ମୁତ୍ଥପନ୍ ସ୍ୱାମୀଙ୍କୁ ହିନ୍ଦୁ , ଅଣହିନ୍ଦୁ , ଆଦିବାସୀ ଓ ଅଣଆଦିବାସୀ ପୂଜା କରିପାରିବେ । ଏକଦା ଏକ ନିଃସନ୍ତାନ ଦମ୍ପତି ନଦୀରେ ସ୍ନାନ କରୁଥିବା ବେଳେ ତାଙ୍କୁ ଏକ ପୁତ୍ରସନ୍ତାନ ପାଣିରେ ଭାସୁଥିବା ଅବସ୍ଥାରେ ମିଳିଲା । ଯାହାକୁ ସେମାନେ ନିଜ ପୁଅ ଭଳି ପାଳିଲେ । ପୁଅଟି ଦୟାଳୁ ସ୍ୱଭାବର ଥିଲା କିନ୍ତୁ ଶିକାର କରି ମାଂସ ଖାଉଥିଲା । ଯାହା ଉକ୍ତ ପରିବାରର ଧର୍ମ ବିରୋଧ ଥିଲା । ଦମ୍ପତି ମାଛ-ମାଂସ ଭକ୍ଷଣରୁ ବାରଣ କରିବାରୁ ପୁଅଟି ଘର ଛାଡ଼ି ଗାଁ ଗାଁ ବୁଲି ଲୋକଙ୍କଠାରୁ ମାଗି ଖାଉଥିଲା । ସମସ୍ତେ ତାକୁ ମୁତ୍ଥପନ୍ ବୋଲି ଡାକୁଥିଲେ । ଥରେ ଚନ୍ତନ ନାମକ ଜଣେ ଟୋଡି ବା ତାଡ଼ି ବିକ୍ରେତାଙ୍କୁ ମୁତ୍ଥପନ୍ ତାଡ଼ି ମାଗିଥିଲେ । କିନ୍ତୁ ଚନ୍ତନ ତାଡି ଦେବାରୁ ମନା କରିବାରୁ ସେ ତାଙ୍କୁ ଅଭିଶାପ ଦେଇଥିଲେ ପଥର ହେବା ପାଇଁ । ପରେ ଚନ୍ତନଙ୍କ ସ୍ତ୍ରୀ ମୁତ୍ଥପନଙ୍କୁ କ୍ଷମା ମାଗି ସମ୍ମାନର ସହ ପୂଜା କରି ତାଡ଼ି ପିଇବାକୁ ଦେଇଥିଲେ । ଯାହାଦ୍ୱାରା ଚନ୍ତନ ପଥରରୁ ମାନବ ପାଲଟିଥିଲେ । ଏହି ଘଟଣା ପରଠୁ ଲୋକ ମୁତ୍ଥପନଙ୍କୁ ଦେବତା ମାନି ପୂଜା କରିବା ଆରମ୍ଭ କଲେ । କୁହାଯାଏ , ସେହି ସମୟରେ ମୁତ୍ଥପନଙ୍କ ସହ ଏକ କୁକୁର ବୁଲୁଥିଲା ଯେଉଁଥିପାଇଁ କୁକୁରଙ୍କୁ ମନ୍ଦିରରେ ପବିତ୍ରର ମାନ୍ୟତା ଦିଆଯାଏ । ଗାଁରେ କୁକୁରର ଅନାଦର କରିବା ଅର୍ଥ ସ୍ୱୟଂ ଭଗବାନଙ୍କ ଅନାଦର କରିବା ସଙ୍ଗେ ସମାନ ।